ଜାନୁଆରି ୩ ତାରିଖରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ୍! ଏହି ସବୁ ନିୟମ ସହିତ ଜାରି ହେଲା ଏସ୍ଓ‌ପି, ଜାଣନ୍ତୁ

 

ଜାନୁଆରି ୩ ତାରିଖରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ୍। ପୂର୍ବରୁ ବଢୁଥିବା କରୋନା ସଂକ୍ରମଣ ହେତୁ ଏହି ସ୍କୁଲ ଗୁଡିକ ବନ୍ଦ ଥିବା ବେଳେ ଏବେ କିଛି କଟକଣା ସହ ଏହାକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଗଣଶିକ୍ଷା ମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଏବେ ଏଥିନେଇ ଏସଓପି ଆସିଛି। ତେବେ,ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି କଟକଣା।

ସରକାରଙ୍କ ତରଫରୁ କରାଯାଇଥିବା ନିଷ୍ପତ୍ତି ଅନୁଯାଇ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ହିଁ ସ୍କୁଲ ଗୁଡିକୁ ଖୋଲିବାକୁ ଅନୁମତି ମିଳିବ। ଏଥିସହିତ ଅନଲାଇନରେ ହେଉଥିବା କ୍ଲାସ୍ ମଧ୍ୟ ଜାରି ରହିବ। ଯେଉଁ ପିଲାମାନେ ସ୍କୁଲକୁ ଆସିବାକୁ ଚାହିଁବେନି ସେମାନେ ଘରେ ବସି ଅନଲାଇନ କ୍ଲାସ୍ କରିପାରିବେ। ସ୍କୁଲ ମଧ୍ୟରେ ପିଲାମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରଖି ବସିବେ। ଯଦି ସମ୍ଭବ ହୁଏ ତେବେ ଗୋଟିଏ ବେଞ୍ଚରେ ମଧ୍ୟ ଗୋଟିଏ ପିଲା ବସିବାକୁ ବ୍ୟବସ୍ଥା କରିବାକୁ ଏସଓପିରେ କୁହାଯାଇଛି।

ଏହାବ୍ୟତୀତ ସ୍କୁଲକୁ ସବୁଦିନ ସଫା ରଖିବା ସହ ପିଲାମାନଙ୍କ ପାଇଁ ହ୍ୟାଣ୍ଡୱାସ୍ ର ବ୍ୟବସ୍ଥା କରିବା ପାଇଁ ଏସଓପି ରେ ଉଲ୍ଲେଖ କରାଯାଇଛି। ଏଥିସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ଗୋଟିଏ କ୍ଲାସରେ ମାତ୍ର ୨୦ ରୁ ୨୫ ପିଲାଙ୍କୁ ବସିବା ପାଇଁ ଅନୁମତି ଦିଆଯାଇଛି। ଏହି ସବୁ କଟକଣା କୁ ସମସ୍ତ ସ୍କୁଲ ମାନିବାକୁ ବାଧ୍ୟ ବୋଲି ଏସଓପି ରେ ଉଲ୍ଲେଖ କରାଯାଇଛି। ବିଭିନ୍ନ ସମୟରେ କଟକଣା ଗୁଡିକ ପାଳନ ହେଉଛି କି ନାହିଁ ସେଥିନେଇ ଚେକିଂ ମଧ୍ୟ କରାଯିବ। ତେବେ, ସ୍କୁଲ ପାଣି ଟାଙ୍କି ସଫା କରାଯିବା ସହ କୌଣସି ପ୍ରକାରର ମଧ୍ୟାନ ଭୋଜନ ଦିଆଯିବନାହିଁ ବୋଲି ଜଣାଯାଇଛି।