ଦିଲ୍ଲୀରୁ ଆସି ଭୁବନେଶ୍ୱର ରାସ୍ତାରେ ଚାରିପଟେ ଘେରିଗଲେ, ରାତି ଅଧରେ ଏଭଳି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା
ମେ' ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ମର୍ସିଡିଜ୍ କାର୍ ରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ବ୍ରିଜ ଆଣ୍ଡ ରୂପ ଇଣ୍ଡିଆ ଲିମିଟେଡ଼ର ଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆର୍କିଟେକ ସନ୍ତୋଷ ମହାରଣା ଏବଂ ବିଲଡର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ।
ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍ କାର୍ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା।
ଏନେଇ ସିବିଆଇ ଟିମ୍ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚି ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ସେଠାରୁ ସିବିଆଇ ଅଧିକାରୀମାନେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ପଚରାଉଚରା କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାପଡ଼ିଥିବା ଓଡ଼ିଶାର ବିଲ୍ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ତାଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।
ଏହା ପୂର୍ବରୁ ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ' ଫେୟାର ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଏକ ଦାମୀ କାରରେ ଡିଲ ହେଉଥିବା ବେଳେ ଧରିଥିଲା। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଛି । ଯାହା ଫଳରେ ଦିଲ୍ଲୀ, କୋଳକାତା ଏବଂ ଓଡ଼ିଶାରେ ରେଡ଼ ଜାରି ରହିଛି।