ଓଟିଭି ପ୍ରତିନିଧିଙ୍କ ଅକାଳ ବିୟୋଗ: ଓଡ୍ରାଫ୍ ଟିମ୍ ସହିତ ହାତୀ ଉଦ୍ଧାର ପାଇଁ ଯାଇଥିବା ବେଳେ ଏମିତି ଘଟିଥିଲା ଦୁର୍ଘଟଣା, ଜାଣନ୍ତୁ ପୂରା ଖବର

 

ନଦୀ ଭିତରେ ଫସିରହିଥିବା ହାତୀକୁ ଉଦ୍ଧାର କରାଯିବା ସମୟରେ ଘଟିଛି ବଡ଼ ଅଘଟଣ। ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପ୍ରଖର ସ୍ରୋତରେ ଓଲଟିଯିବାରୁ ୭ ଜଣ ଭାସି ଯାଇଥିଲେ। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଓଡ୍ରାଫ୍ ଟିମ୍ ସଦସ୍ୟ ହୋଇଥିବା ବେଳେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଥିଲେ। ତେବେ, ସବୁଠାରୁ ଦୁଃଖଦ ଖବର ହେଉଛି ଯେ ବୁଡ଼ି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରୁ ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଛି। 

ମିଳିଥିବା ସୂଚନା ଅନୁଯାଇ ଏହି ଦୁର୍ଘଟଣାରେ ୭ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼-ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ, ସଦ୍ୟ ପ୍ରକାଶିତ ଖବର ଅନୁଯାଇ ଅରିନ୍ଦମଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଗୁରୁତର ଥିବା ଅନ୍ୟ ଦୁଇ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ତେବେ, ବୋଟରେ ଯାଇଥିବା ୭ ଜଣଙ୍କ ମଧ୍ୟରୁ ଜଣେ ଓଡ୍ରାଫ୍ ପ୍ରତିନିଧିଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଉଦ୍ଧାର କରାଯାଇ ପାରିନାହିଁ।

ଆଠଗଡ ରେଞ୍ଜରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଭାସିଯାଇ ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଥିବା ବେଳେ ଗୋଟିଏ ଛୁଆ ହାତୀ ମୁଣ୍ଡୁଲି ବ୍ୟାରେଜ୍ ନିକଟରେ ଫସିରହିଛି।