ପ୍ରକୃତିର ମଜା ନେବାକୁ ଚାହୁଁଥିଲେ ଏହି ୫ଟି ଜଳପ୍ରପାତକୁ ଯାଆନ୍ତୁ, ବୁଲିବା ସହ ପିକନିକର ମଜା ପାଇପାରିବେ
ଆରମ୍ଭ ହୋଇଯାଇଛି ପ୍ରକୃତିକୁ ଉପଭୋଗ କରିବାର ସମୟ। ପ୍ରକୃତି କୂଳରେ ସମୟ ଅତିବାହିତ କରିବାର ସବୁଠାରୁ ଭଲ ସମୟ ହୋଇଥାଏ ଶୀତ ଋତୁ। ତେବେ ଜଳପ୍ରପାତ ହୋଇଥାଏ ପ୍ରକୃତିର ସବୁଠାରୁ ଭଲ ସ୍ଥାନ ହୋଇଥାଏ। ଆଜି ଆମେ ଆପଣଙ୍କୁ ଓଡିଶାର ୫ଟି ଏପରି ଜଳପ୍ରପାତ ବିଷୟରେ ବତେଇବୁ ଯେଉଁଠାରେ ପିକନିକ୍ ସହ ପ୍ରକୃତିର ମଜା ନେଇପାରିବେ ତେବେ ଆସନ୍ତୁ ଜାଣିବା-
୧) ପ୍ରଧାନପାଟ ଜଳପ୍ରପାତ: ଦେବଗଡ ଜିଲ୍ଲାର ଉତ୍ତର ଦିଗରେ ପ୍ରାଚୀର ସଦୃଶ୍ୟ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ। କୈଦନ୍ତା ପର୍ବତ ମାଳର ସପ୍ତକୁଣ୍ଡ ମଧ୍ୟ ଦେଇ ପାଞ୍ଚ କିଲୋମିଟର ପାର୍ବତ୍ଯ ପଥ ଅତିକ୍ରମ କରି ଏହା ପ୍ରବାହିତ ହେଉଛି। ୧୬୫ ଫୁଟ ଉଚ୍ଚତାରୁ ଜଳ ତଳକୁ ପଡ଼ୁଛି। ଏହାର ଗତି ପଥରେ ମା-ଝିଅ କୁଣ୍ଡ ଓ କବାଟ ଦ୍ଵାର ଦେଇ ଏହା ଲମ୍ପ ପ୍ରଦାନ କରି ପ୍ରପାତ ସୃଷ୍ଟି କରିଛି। ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ପ୍ରପାତ ନିକଟସ୍ଥ ବସନ୍ତ ନିବାସରେ ଅନ୍ୟ ଋତୁରେ ବସନ୍ତର ଅନୁଭୂତି ଆସିଥାଏ ଏହି ପ୍ରାକୃତିକ ଶୋଭା ବିମଣ୍ଡିତ ସ୍ଥାନରେ ଅଧିଷ୍ଠିତା ଦେବଗଡର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ଵରୀ। ଭୁବନେଶ୍ବର ଠାରୁ ୨୭୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ।
୨) ମାଛକୁଣ୍ଡ (ଡୁମୁଡୁମା): କୋରାପୁଟ ଜିଲା ସଦରମହକୁମାଠାରୁ ୯୨କି.ମି. ଦୂରରେ ମାଛକୁଣ୍ଡ ବା ଡୁମୁଡୁମା ଜଳପ୍ରପ୍ରାତ ଅବସ୍ଥିତ। ଏଠାରେ ୧୭୫ ମିଟର ଉଚ୍ଚରୁ ତଳକୁ ପାଣି ପଡ଼ୁଛି। ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ ମଧ୍ୟରୁ ଡୁମୁଡୁମା ଅନ୍ୟତମ। ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥାଏ। ପିକନିକ୍ ଓ ପ୍ରକୃତିକର ଆନନ୍ଦ ନେବାକୁ ଚାହୁଁଥିଲେ ଏହି ସ୍ଥାନଟି ବେଶ୍ ଉକୃଷ୍ଟ।
୩) ସାନ ଘାଘରା: ପ୍ରକୃତିର ବରଦାନ ହେଉଛି ସାନ ଘାଘରା ଜଳ ପ୍ରପାତ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ଏହି ଚିରସ୍ରୋତା ଜଳପ୍ରପାତକୁ ଧାଇଁ ଆସୁଛନ୍ତି ଲୋକେ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି ହୋଇ ପଡ଼ିଥାଏ। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପର୍ବତ ଶିଖର ସହ ସବୁଜ ବନାନୀ ଏବଂ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଶୀତ ବଢିଲେ ଏହି ସ୍ଥାନକୁ ଉପଭୋଗ କରିବାର ମଜା କାଛି ନିଆରା। କେନ୍ଦୁଝର ସହର ଠାରୁ ମାତ୍ର ୪ କିମି ବ୍ୟବଧାନରେ ୪୯ ନମ୍ବର ଜାତୀୟ ରାଜପଥରେ ପାଖରେ ପଡିଥାଏ ଏହି ଜଳପ୍ରପାତ। କେନ୍ଦୁଝର ଗଡ ରେଳ ଷ୍ଟେସନରୁ ଏହାର ବ୍ୟବଧାନ ମାତ୍ର ୭ କିଲୋମିଟର।
୪) ଖଣ୍ଡାଧାର ଜଳପ୍ରପାତ: ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏହି ଜଳପ୍ରପାତର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର)। ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ। ଏହାକୁ ଭାରତର ଚତୁର୍ଥ ଉଛତମ ଜଳପ୍ରପାତ ବୋଲି ମଧ୍ୟ କୁହା ଯାଏ। ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ। ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି। ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ"। ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ।
୫) ବରେହିପାଣି ଜଳପ୍ରପାତ: ମୟୂରଭଞ୍ଜ ଜିଲାର ଶିମିଳିପାଳ ଭିତରେ ରହିଛି ମନୋରମ ବରେହିପାଣି ଜଳପ୍ରପାତ। ଭାରତର ଦ୍ୱିତୀୟ ବୃହତ୍ତମ ଜଳପ୍ରପାତର ମାନ୍ୟତା ପାଇଥିବା ବରେହିପାଣି ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୩୯୯ ମିଟର (୧୩୦୯ ଫୁଟ) ଉଚ୍ଚରୁ ପାଣି ପଡୁଥିବା ବେଳେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ।