ଗୁଜରାଟୀ ସ୍ତ୍ରୀକୁ ଧୋକା ଦେଲା ଓଡ଼ିଆ ସ୍ବାମୀ, ଖୋଜି ଖୋଜି ପତ୍ନୀ ଆସି ଭଦ୍ରକରେ, ଜାଣନ୍ତୁ ପୁରା ଘଟଣା

 

ପ୍ରେମ, ପ୍ରେମିକା, ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ଠିକ୍ ପୁଣି ଏଭଳି ଏକ ଘଟଣା ଘଟିଛି ଜଣେ ଗୁଜୁରାଟୀ ମହିଳାଙ୍କ ସହ । ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରଥମେ ଏହି ଗୁଜରାଟୀ ମହିଳାଙ୍କୁ ପ୍ରେମ ବିବାହ କରିବାପରେ କୌଶଳ କ୍ରମେ ବିବାହର ୧୫ ଦିନ ପରେ ମହିଳାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ତାଙ୍କ ଧନ ସମ୍ପତ୍ତିକୁ ହାସଲ କରି ଏବେ ଶେଷରେ ତାଙ୍କୁ ଠକି କେଉଁ ଆଡେ ଫେରାର ହୋଇଯାଇଛି ଜଣେ ଓଡ଼ିଆ ଯୁବକ । 

ଶେଷରେ ମହିଳା ଜଣକ ଏବେ ନିଜର ଦୁଇ ବର୍ଷର ଶିଶୁ ପୁତ୍ରକୁ ନେଇ ସ୍ୱାମୀର ଗାଁରେ ପହଞ୍ଚିଥିବାବେଳେ ଏପଟେ ସ୍ୱାମୀ କିମ୍ବା ତା ପରିବାର ଲୋକେ କେହିବି ଗାଁରେ ନଥିବା ଦେଖିବାକୁ ମିଳିଛି । ଶେଷରେ ବାଧ୍ୟ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ତେବେ ପୋଲିସ୍ ଠାରୁ ନ୍ୟାୟ ନ ପାଇବାରୁ ଶେଷରେ ଭଦ୍ରକ ଏସପିଙ୍କ ସରଣାପର୍ଣ୍ଣ ହୋଇଛନ୍ତି ଏହି ଗୁଜରାଟୀ ମହିଳା ଜଣକ । ଏଭଳି ଏକ ଦୁଃଖ ଘଟଣା ଭଦ୍ରକ ଏସପି ଅଫିସ ନିକଟରେ ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଧିନସ୍ଥ ନରସିଂହପୁର ଗ୍ରାମର ମନୋଜ ନାୟକ ନାମକ ଜଣେ ଯୁବକ ଗୁଜୁରାଟର ଅହମ୍ମଦାବାଦରେ ଏକ କମ୍ପାନୀରେ କାମ କରୁଥିବାବେଳେ ସେଠାରେ ହୀରଲ ମୋଦୀ ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ଗତ ୨୦୧୯ ମସିହାରେ ବିବାହ କରିଥିଲା । ତେବେ ବିବାହର ୧୫ଦିନ ପରେ ମନୋଜ ତାଙ୍କ ସ୍ତ୍ରୀ ହୀରଲ ରଖିଥିବା ଟଙ୍କା ଓ ତାଙ୍କ ବାପା, ମାଆ ରଖିଥିବା ଟଙ୍କାକୁ କୌଶଳ କ୍ରମେ ହାସଲ କରିବାକୁ ଲାଗିଲା । ଏପରିକି ମନୋଜ ତା ଗାଁରେ ବହୁ ଜମିଜମା ଥିବା ଓ ବ୍ୟବସାୟ ଚାଲିଥିବା କହି ପ୍ରଲୋଭିତ କରିଥିଲା । 

ଏସବୁ କଥା ଶୁଣିବା ପରେ ସ୍ତ୍ରୀ ହୀରଲ ମୋଦୀଙ୍କର ମନୋଜ ଉପରେ ସନ୍ଦେହ ହୋଇନଥିଲା । ପରେ ୨୦୨୨ ମସିହାରେ ହୀରଲଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ସେତେବେଳେକୁ ମନୋଜ ପ୍ରାୟ ୫କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ କୌଶଳ କ୍ରମେ ଠକି ନେଇଥିଲା । ଏପରିକି ବିଜିନେସ ପାଇଁ ହୀରଲ ମୋଦୀଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିଲା । ତେବେ ପ୍ରକୃତ ସତ କଥା ହିରଲ ଜାଣିବା ପୂର୍ବରୁ ମନୋଜ କୌଶଳ କ୍ରମେ ସେଠାରୁ ଖସି କେଉଁଆଡ଼େ ପଳାଇଛି ଯେ ତାର ପତ୍ତା ମିଳୁନାହିଁ ।