ଓମିକ୍ରନ୍ ଭୟ: ରାଜ୍ୟକୁ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ! ବନ୍ଦ ହେଲା ସ୍କୁଲ କଲେଜ୍, ଜାଣନ୍ତୁ ପୂରା ଗାଇଡଲାଇନ୍

 

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଫେରିଲା ନାଇଟ କର୍ଫ୍ୟୁ। ଚଳିତ ମାସ ୭ ତାରିଖରୁ ରାତି ୯ଟା ପରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଜାନୁଆରୀ ୭ ତାରିଖ ଭୋର ୫ଟାରୁ ଫେବୃଆରୀ ୧ ତାରିଖ ଭୋର ୫ଟା ଯାଏଁ କର୍ଫ୍ୟୁ ଲାଗୁରହିବ। ନାଇଟ କର୍ଫ୍ୟୁ ରାତି ୯ଟା ଠାରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବା ଜାରିରହିବ।

ଏଥିନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜରେ ଅଫଲାଇନ ପାଠପଢା ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ ପାଠପଢା ଜାରି ରହିବ। କେବଳ ଡାଉଟ୍ କ୍ଲିଅରିଂ କ୍ଲାସ୍ ପାଇଁ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲକୁ ଆସିବା ପାଇଁ ଅନୁମତି ମିଳି ପାରିବ। ମାଟ୍ରିକ୍ ଏବଂ ଅନ୍ୟ ସମସ୍ତ ସମିଟିଭ୍ ପରୀକ୍ଷା ଜାରି ରହିବ ବୋଲି ଏସଆରସି କହିଛନ୍ତି।

ସେହିପରି ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ। ଅନ୍ତୋଷ୍ଟି କ୍ରିୟାରେ ୫୦ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ହୋଟେଲ, ମଲ୍‌, କନଭେନସନ୍‌ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସମସ୍ତ ଅଫିସ୍ ଏବଂ କାର୍ଯ୍ୟାଳୟ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଚାଲୁ ରହିପାରିବ। ସେହିପରି କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ କିମ୍ବା ଏନକରସନ୍‌ କରିପାରିବେ ନାହିଁ।

ଅନ୍ୟପକ୍ଷରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ପବ୍ ଗୁଡିକ ୫୦ ପ୍ରତିଶତ ଲୋକଙ୍କ ସହିତ ଚାଲୁ ରହିପାରିବ। ସିନେମା ହଲ୍ ଏବଂ ଥିଏଟର୍ ଗୁଡିକ ୫୦ ପ୍ରତିଶତ ଲୋକଙ୍କ ସହିତ ଚାଲିପାରିବ କିନ୍ତୁ ସେଠାରେ ଅଫଲାଇନ ଟିକେଟ ବିତରଣ ହୋଇପାରିବ ନାହିଁ। ରାସ୍ତା ଘାଟରେ ଷ୍ଟ୍ରିଟ୍‌ ଭେଣ୍ଡର ଏବଂ ଦୋକାନ ଗୁଡିକ ରାତି ୯ଟା ଯାଏଁ ନିଜର ବ୍ୟବସାୟ କରିପାରିବେ। ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ। ଯଦି କୌଣସି ଦୋକାନ ଆଗରେ ଭିଡ଼ ହୋଇଥିବା ଦେଖାଯାଏ ତେବେ ଏହାକୁ ୭ ଦିନ ପର୍ଯ୍ୟନ୍ତ ସିଲ୍ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ବସ୍‌, କାର୍‌, ଟ୍ୟାକ୍ସିମାନଙ୍କରେ ଯାତ୍ରା କରିବାବେଳେ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ। ସରକାର ଏହି ନିୟମ ଗୁଡିକୁ ମାନିବା ପାଇଁ ଅନୁରୋଧ କରିଛନ୍ତି। ତେବେ, ଆଗକୁ ସଂକ୍ରମଣ ଅଧିକ ବଢିଲେ କଟକଣାକୁ ଆହୁରି କଡାକଡ଼ି କରାଯିବ ବୋଲି ଜଣାଯାଇଛି।