ମନ୍ତ୍ରୀଙ୍କୁ ଗୁଳି ମାରିଥିବା ଗୋପାଳ କୁ ମିଳିଛି ସର୍ଭିସ୍ ବୁକ୍ ରେ ଗୁଡ୍, ପାଇଛନ୍ତି ଏତେ ଗୁଡ଼ାଏ ମେଡ଼ାଲ୍ ଯେ ତାଜୁବ ହେବେ ଆପଣ….

 

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ। ଗୋପାଳ ହିଁ ସେହି ପୋଲିସ ଅଫିସର୍ ଯିଏକି ନବ ଦାସଙ୍କୁ ହତ୍ୟା କରିଛନ୍ତି। ତାଙ୍କ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସେ ଜଣେ ମାନସିକ ରୋଗୀ ବୋଲି କୁହାଯାଉଛି। ଏହାରି ଭିତରେ ତାଙ୍କୁ ନେଇ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସିଛି।

ଗୋପାଳ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର୍ ହୋଇଥିବା ବେଳେ ତାଙ୍କୁ ୧୮ଟି ମେଡାଲ ମିଳିବା ସହିତ ୮ ଥର ପୁରସ୍କୃତ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଗୋପାଳର ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ୍ ଏବଂ ଗଞ୍ଜାମରେ ତାଙ୍କ ଘର। ୧୯୯୨ ମସିହା ଜୁଲାଇ ୮ ତାରିଖରେ ସେ କନ୍‌ଷ୍ଟେବଲ୍‌ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। କିଛିବର୍ଷ ଚାକିରୀ କରିବା ପରେ ୨୦୦୯ ଅକ୍ଟୋବର ୯ରେ ତାଙ୍କୁ ଏଏସ୍‌ଆଇ ଭାବେ ପଦୋନ୍ନତି ମିଳିଥିଲା।

ପଦୋନ୍ନତି ପାଇବା ପରେ ସେ ଅନୁଗୁଳ ପୋଲିସ ଟ୍ରେନିଂ ସ୍କୁଲରୁ ପ୍ରଶିକ୍ଷଣ ପାଇଥିଲେ। ତେବେ, ତା ପରଠାରୁ ଦୀର୍ଘ ୧୨ ବର୍ଷ ହେବ ସେ ଝାରସୁଗୁଡ଼ାରେ ନିଯୁକ୍ତି ପାଇଛନ୍ତି। ଚାକିରି କାଳ ଭିତରେ ସେ ଜିଏସ୍‌ରେ ୧୨ ମାର୍କ ପାଇବା ସହିତ ୮ଟି ଅର୍ଥରାଶି ପୁରସ୍କାର ଓ ୧୮ଟି ମେଡାଲ୍‌ରେ ପୁରସ୍କୃତ ହୋଇଛନ୍ତି। ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ସେ କୌଣସି ଵିଭାଗୀୟ ଦଣ୍ଡ ପାଇନାହାଁନ୍ତି। ଗତ ୨୮ ନଭେମ୍ବର ୨୦୨୦ରୁ ସେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ନିଯୁକ୍ତି ପାଇଥିଲେ। ତେବେ, ଏତେ ଭଲ ଟ୍ରାକ୍ ରେକର୍ଡ଼ ରହିଥିବା ଜଣେ ପୋଲିସ ଅଫିସର କିପରି ମାନସିକ ରୋଗୀ ହୋଇପାରିବେ ସେଥିନେଇ ସନ୍ଦେହ ସୃଷ୍ଟି ହେଉଛି।