ଡ଼ଙ୍ଗାବୁଡ଼ି ଘଟଣାର ବିବାଦୀୟ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ମନୋରଞ୍ଜନ ମିଶ୍ର କହିଲେ, ମୋତେ ସମସ୍ତେ..ଦେଖନ୍ତୁ ଭିଡ଼ିଓ

 

ମୁଣ୍ଡୁଳୀ ବ୍ୟାରେଜ୍ ନିକଟରେ ଘଟିଥିବା ବୋଟ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ଦିନ ବିତିଯାଇଛି। କିନ୍ତୁ, ଏହି ଦୁର୍ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ମୃତ୍ୟୁବରଣ କରିଥିବା ଖବରକୁ ତାଙ୍କ ପରିବାର ବର୍ଗ ଏବଂ ଶୁଭଚିନ୍ତକମାନେ ଏପର୍ଯ୍ୟନ୍ତ ସୁଦ୍ଧା ସହଜରେ ଗ୍ରହଣ କରିପାରି ନାହାନ୍ତି। ଗତ କିଛି ଦିନ ତଳେ ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ନିଜର ମନ୍ତବ୍ୟ ଦେଇଥିଲେ ଯାହା ବିବାଦୀୟ ହୋଇ ପଡ଼ିଥିଲା।

ଏବେ ମନୋରଞ୍ଜନଙ୍କର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅରିନ୍ଦମଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ପରିବେଷଣ କରାଯାଇଥିବା କହିଛନ୍ତି। ଅରିନ୍ଦମଙ୍କର ଏଭଳି ଆକସ୍ମିକ ମୃତ୍ୟୁ ତାଙ୍କୁ ବିଚଳିତ କରିବା ସହିତ ବହୁତ କଷ୍ଟ ଦେଇଛି। ସେହି କୋହକୁ ସେ ପରିପ୍ରକାଶ କରିବାକୁ ଚେଷ୍ଟା କରିଥିବା ବେଳେ ଏହାକୁ ନେଇ ହୋଇଥିବା ବିତର୍କ ତାଙ୍କୁ ଖୁବ ବ୍ୟଥିତ କରିଥିବା ସେ କହିଛନ୍ତି।

ଅରିନ୍ଦମଙ୍କର ଏକଦଶାହ ସ୍ମୃତିସଭାରେ ଯୋଗ ଦେଇ ମନୋରଞ୍ଜନ ଦୁଃଖ ପ୍ରକାଶ କରିବା ସହିତ ଖବର ସଂଗ୍ରହ କରିବା ସମୟରେ ନିଜ ଜୀବନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଜୀବନକୁ ଛୋଟ କରି ବିପଦପୂର୍ଣ୍ଣ ଖବର ସଂଗ୍ରହ କରିବାକୁ ସେ ବିରୋଧ କରିଥିଲେ। ଏଥିସହିତ ଏହି ଘଟଣାରେ ତାଙ୍କ ମନ୍ତବ୍ୟକୁ ନେଇ କୌଣସି ବିତର୍କ ସୃଷ୍ଟି ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଥିଲେ।