ଓଡ଼ିଶାକୁ ବାତ୍ୟା ଭୟ: ମାଡ଼ିଆସୁଛି ବାତ୍ୟା 'ଗୁଲାବ', ଘଣ୍ଟା ପ୍ରତି ୯୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା, ଜାଣନ୍ତୁ ପୂରା ଖବର

 

ପୁଣି ଥରେ ମାଡ଼ିଆସୁଛି ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ଆଗାମୀ ୨୬ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପ୍ରାଥମିକ ସୂଚନା ଅନୁଯାଇ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ବାତ୍ୟା ଗତି କରିପାରେ। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିସହିତ ସମୟ ସମୟରେ ଏହାର ବେଗ ୯୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି।

ଆଇଏମଡିର ଆକଳନ ଅନୁଯାୟୀ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିଲୋମିଟର ପୂର୍ବ-ଦକ୍ଷିଣରେ ଥିବାବେଳେ କଳିଙ୍ଗପାଟ୍ଟନମଠାରୁ ୭୪୦ କିଲୋମିଟର ଦୂରତାରେ ରହିଛି। ଏହା ପ୍ରଭାବରେ ୨୫ ତାରିଖରୁ ବର୍ଷା ହେବା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।