ରାଜଧାନୀରେ ମାତିଛନ୍ତି ଲେଡ଼ି ଲୁଟେରା! ଦିନ ଦ୍ୱିପ୍ରହରରେ ଝିଙ୍କୁଛନ୍ତି ସୁନା ଚେନ୍ ଏବଂ ଟଙ୍କା ପଇସା, ଆଉ ତାପରେ...

 

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲେଡ଼ି ଲୁଟେରା। ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସୁନା ଗହଣା ଠାରୁ ଆରମ୍ଭ କରି ବ୍ୟାଗ ଏବଂ ମନିପର୍ସ ପର୍ଯ୍ୟନ୍ତ ଯାହା ପାଉଛନ୍ତି ତାହା ଲୁଟି ନେଉଛନ୍ତି। ଏହିଭଳି ଏକ ଘଟଣା ଗତକାଲି ରସୁଲଗଡ଼ ଛକରେ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ଯୁବତୀଙ୍କ ଠାରୁ ପର୍ସ ନେଇ ଫେରାର ହେଉଥିବା ବେଳେ ଜଣେ ଲେଡ଼ି ଲୁଟେରା ଧରା ପଡ଼ିଥିଲା।

 ମିଳିଥିବା ସୂଚନା ଅନୁଯାଇ ଲକ୍ଷ୍ମୀପ୍ରିୟା ସାମଲ ନାମକ ଜଣେ ଯୁବତୀ ବମିଖାଲ୍‌ ଯିବା ପାଇଁ ରସୁଲଗଡ଼ ଛକରେ ଅଟୋ କୁ ଅପେକ୍ଷା କରି ରହିଥିଲେ। କିଛି ସମୟ ପରେ ଏକ ଅଟୋ ଆସିଥିଲା ଏବଂ ସେ ସେଥିରେ ବସିଥିଲେ। କିନ୍ତୁ, ଏହାରି ଭିତରେ ଏକ ଚୋରାଣୀ ତାଙ୍କର ମନିପର୍ସ ଚୋରାଇ ନେଇଥିଲା। ଲକ୍ଷ୍ମୀପ୍ରିୟା ଏହା ଜାଣିପାରି ତୁରନ୍ତ ଅଟୋ ରଖି ଓଲ୍ହାଇପଡ଼ିଥିଲେ।

ଘଟଣା ସମ୍ପର୍କରେ ଜାଣିପରି ଅଟୋ ଡ୍ରାଇଭର ଅନ୍ୟମାନଙ୍କ ସହ ମିଶି ସନ୍ଦେହରେ ଜଣେ ଯୁବତୀଙ୍କୁ ଘେରି ଯାଇଥିଲେ। ଏହା ଦେଖି ଲେଡ଼ି ଲୁଟେରା ପର୍ସ ଛାଡ଼ି ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲା। ଧରାପଡିବା ପରେ ସ୍ଥାନୀୟ ଲୋକେ ତାକୁ ପିଟିବା ସହ ପୋଲିସର ଜିମା ଦେଇଥିଲେ। ତେବେ, ଉକ୍ତ ଲୁଟେରା ଗ୍ୟାଙ୍ଗରେ ଆଉ ୩ ଜଣ ସମ୍ପୃକ୍ତ ଥିବା ଏବଂ ଫେରାର ହୋଇଯାଇଥିବା କୁହାଯାଉଛି। ରସୁଲଗଡ଼ ଛକରେ ବାରମ୍ବାର ଏଭଳି ଘଟୁଥିବାରୁ କମିଶନରେଟ୍‌ ପୁଲିସ ପାଟ୍ରୋଲିଂକୁ ଜୋରଦାର କରିବାକୁ ଦାବି ହେଉଛି।