ମାତ୍ର ୫୦୦୦ ଟଙ୍କାରେ ଆରମ୍ଭ ହୋଇଥିବା KIIT ଆଜି କେମିତି ହେଲା କୋଟି କୋଟି ଟଙ୍କାର ସାମ୍ରାଜ୍ୟ, ଜାଣନ୍ତୁ ଭିତିରି କଥା

 

କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଘନେଇବାକୁ ଲାଗିଛି ବିବାଦ। ଘଟଣା କେବଳ ଓଡ଼ିଶାରେ ସୀମିତି ନାହିଁ, ପାଲଟିଲାଣି ଅନ୍ତର୍ଜାତୀୟ ଖବର। ରବିବାର ବିଳମ୍ବିତ ରାତିରେ କିଟ୍ ହଷ୍ଟେଲରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରୀ ଜଣକ ନେପାଳର। ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ତେବେ ଏହି ବିବାଦ ପରେ KIIT ଚର୍ଚ୍ଚାରେ ରହିଛି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଅଚ୍ୟୁତ ସାମନ୍ତ ଓଡ଼ିଶାର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ତାଙ୍କ ବାଲ୍ୟକାଳରେ ମୃତ୍ୟୁବରଣ କରିଥିଲେ ଏବଂ ସେ ମାତ୍ର ଚାରି ବର୍ଷ ବୟସରେ ଅନାଥ ହୋଇଯାଇଥିଲେ। ତାଙ୍କ ଜୀବନ ୧୫ ବର୍ଷ ଧରି ସଂଘର୍ଷରେ ପରିପୂର୍ଣ୍ଣ ଥିଲା, କିନ୍ତୁ ସେ ହାର ମାନି ନଥିଲେ ଏବଂ ୨୨ ବର୍ଷ ବୟସରେ ଜଣେ ଶିକ୍ଷକ ହୋଇଗଲେ। 

୨୫ ବର୍ଷ ବୟସରେ, ଅଚ୍ୟୁତ ସାମନ୍ତ ମାତ୍ର ୫,୦୦୦ ଟଙ୍କାରେ ଦୁଇଟି ଭଡ଼ା ଘରେ ଏକ ପ୍ରତିଷ୍ଠାନ ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନସେସ୍‌ (KISS) ଭାବରେ ଜଣାଶୁଣା ହୋଇଥିଲା। ପ୍ରଫେସର ଅଚ୍ୟୁତ ସାମନ୍ତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ, ଡେଣ୍ଟାଲ ସାଇନ୍ସେସ ଏବଂ ନର୍ସିଂ ସାଇନ୍ସେସ୍‌ ମଧ୍ୟ ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ଏକ ୨୬୦୦ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ଏବଂ ସୁପର ସ୍ପେଶାଲିଟି ସେଣ୍ଟର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେ ଏସିଆର ପ୍ରଥମ ସ୍ମାର୍ଟ ଗ୍ରାମ 'କଲରାବାଙ୍କ' ବିକଶିତ କରିଥିଲେ। ଯାହା ସମ୍ପୂର୍ଣ୍ଣ ସୌରଶକ୍ତି ଦ୍ୱାରା ପରିଚାଳିତ।

ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)୧୯୯୨ରେ ଏକ ଶିଳ୍ପ ତାଲିମ ପ୍ରତିଷ୍ଠାନ ଭାବରେ ପ୍ରତିଷ୍ଠିତ ହୋଇଥିଲା। ସେତେବେଳେ ଏହା କେବଳ ୧୨ ଜଣ ଛାତ୍ର ଏବଂ ଦୁଇ ଜଣ ଅଧ୍ୟାପକଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୭ରେ ଏହାକୁ UGC ଦ୍ୱାରା 'ଡିମ୍ଡ ବିଶ୍ୱବିଦ୍ୟାଳୟ'ର ମାନ୍ୟତା ଦିଆଯାଇଥିଲା। ଆଜି ପ୍ରାୟ ୬୫ଟି ଦେଶର ପ୍ରାୟ ୪୦,୦୦୦ ଛାତ୍ର ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଏମାନଙ୍କ ମଧ୍ୟରୁ ୨୦୦୦ରୁ ଅଧିକ ଛାତ୍ର ଅନ୍ୟ ଦେଶର ହୋଇଥିବା ବେଳେ ବାକି ଭାରତର ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ଏହାର ୪୦ ପ୍ରତିଶତ ଛାତ୍ର ନେପାଳର।

ସେହିପରି କଳିଙ୍ଗ ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ (KISS) ୮୦,୦୦୦ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟସେବା, କ୍ରୀଡ଼ା ଏବଂ ବୃତ୍ତିଗତ ତାଲିମ ପ୍ରଦାନ କରେ। .financemostly.com ଅନୁଯାୟୀ, କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ (KISS), ଯାହା ଥରେ ୫୦୦୦ ଟଙ୍କାରୁ ଆରମ୍ଭ ହୋଇଥିଲା, ସେମାନଙ୍କର ନେଟ୍‌ ମୂଲ୍ୟ ୧୦୦୦୦ କୋଟି ଟଙ୍କା ଅଟେ।