ସହଦେବଙ୍କ ଜୀବନ ନେବାକୁ କେମିତି କରିଥିଲେ ପ୍ଲାନ୍, ଗିରଫ ପରେ ମୁହଁ ଖୋଲିଲେ ୩ ଅଭିଯୁକ୍ତ

 

ରାଜଧାନୀ ଭୁବନେଶ୍ଵରର ରସୁଲଗଡ଼ ଓଭରବ୍ରିଜ ନିକଟରେ ବୁଧବାର ସକାଳୁ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ନୟାଗଡ଼ ଜିଲାର ଶରଣକୂଳ ଅଞ୍ଚଳରୁ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ଵାଡ୍‌ ଗିରଫ କରିଛି। ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ଧଳାଜହର କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗିରଫ ହୋଇଥିବା ମହିଳା ଜଣକ ସହଦେବଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ଥିଲେ। ସେ ମଧ୍ୟ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ସେ ପୁଲିସ ପାଇଁ ସୂଚନାଦାତା ଭାବେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଉଛି। ଅଞ୍ଚଳରେ ଧଳାଜହର କାରବାର ବିଷୟରେ ସେ ପୁଲିସକୁ ଖବର ଦେଉଥିବାରୁ ଅଭିଯୁକ୍ତ ମହିଳା ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦେଇଥିଲେ।

ଏମାନେ ପୂର୍ବରୁ ଜେଲ୍‌ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି। ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଯେ, ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୁଲିସ ସଫଳତା ହାସଲ କରିଛି।

ସଚନାଯୋଗ୍ୟ, କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଅନ୍ୟ ଦିନ ଭଳି ଆଜି ସକାଳୁ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳ ଥିଲା ରସୁଲଗଡ଼ ଓଭରବ୍ରିଜ୍‌। ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସହଦେବ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତମାନେ ବାରମ୍ବାର ଖଣ୍ଡାଚୋଟ ମାରୁଥିଲେ। ଅଳ୍ପ ସମୟ ମଧ୍ୟରେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ।

ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା, ଯାହା ପୂରା ସହରକୁ ଦୋହଲାଇ ଦେଇଥିଲା। ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ ରାସ୍ତାରେ ପଡ଼ିଥିଲା। ରାସ୍ତାରେ ଯାଉଥିବା ଲୋକ ଦେଖି ଭୟଭୀତ ହୋଇଯାଉଥିଲେ। ଦୁର୍ବୃତ୍ତମାନେ ବାଇକରେ ଗୋଡେଇ ଗୋଡେଇ ସହଦେବଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ।