ଏମିତି କରନ୍ତୁ E- KYC, ମିଳିବ ନୂଆ ରାସନ କାର୍ଡ, ନହଲେ କଟିଯିବ ନାମ

 

ରାସନ କାର୍ଡରେ ସ୍ବଚ୍ଛତା ଆସିବ ବୋଲି କୁହାଯାଇଛି। ଭୂତ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ସବୁ ହିତାଧିକାରୀଙ୍କ ରାସନକାର୍ଡ ସହ ଇକେୱାଇସି ସଂଯୋଗ ବାଧ୍ୟତା ମୂଳକ କରାଯାଇଛି। ନିଜ ଡିଲରଙ୍କ ପାଖରେ ଇକେୱାଇସି ଅପଡେଟ କରିପାରିବେ ହିତାଧୀକାରୀ ମାନେ। 

ତେବେ ମାସକ ମଧ୍ୟରେ ଏହି ପ୍ରକ୍ରିୟା ସାରିବା ପାଇଁ ସରକାରଙ୍କ ନିଷ୍ପତିକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ। ବିଧାନସଭା ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ମାସକ ମଧ୍ୟରେ ସବୁ ହିତାଧିକାରୀ ଇକେୱାଇସି ସଂଯୋଗ କରିବା ସମ୍ଭବ ନୁହେଁ। ବାହାର ରାଜ୍ୟରେ ଅନେକ ହିତାଧିକାରୀ ରହୁଥିବାରୁ ମାସେ ସମୟ ସୀମା ପର୍ଯ୍ୟାପ୍ତ ନୁହେଁ। 

ଏ ବିଷୟରେ ସରକାର ପୁନର୍ବିଚାର କରିବାକୁ ଦାବି କରିଥିଲେ ବିଧାୟକ"। ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏନେଇ ଉତ୍ତର ରଖି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ରାସନ କାର୍ଡରେ ସ୍ବଚ୍ଛତା ପାଇଁ ଇକେୱାଇସି ନିଷ୍ପତି ନେଇଛନ୍ତି ସରକାର। ଏହାଦ୍ବାରା ହିତାଧିକାରୀଙ୍କ ସଠିକ ତଥ୍ୟ ସାମ୍ନାକୁ ଆସିବ। 

ଇକେୱାଇସି ସଂଯୋଗ ବାଧ୍ୟତାମୂଳକ ହୋଇଥିଲେ ବି କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏକ ମାସ ଭିତ୍ତିରେ କୌଣସି ହିତାଧିକାରୀ ଇକେୱାଇସି ସଂଯୋଗ ନ କରିପାରିଲେ ବି କାର୍ଡରୁ ନା କଟିବନି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି"। 

ଖାଦ୍ୟ ଯୋଗାଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିବାରୁ ହିତାଧିକାରୀଙ୍କୁ ଗହମ ଏବଂ ଚାଉଳ ଯୋଗାଣ ନେଇ ସରକାରଙ୍କ ନିଷ୍ପତ୍ତି ଜାଣିବାକୁ ଚାହିଁଥିଲେ ବିଜେଡି ବିଧାୟକ ପ୍ରତାପ ଦେବ। ସେପଟେ ନୂଆ ହିତାଧିକାରୀଙ୍କୁ କେବେ ସାମିଲ କରାଯିବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ।  

ଆଉ ଉଭୟ ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, "ଗହମ ଯୋଗାଣ ପାଇଁ ସରକାର ବିଚାର କରୁଥିବା ବେଳେ ଇକେୱାଇସି ପରେ ନୂଆ ହିତାଧିକାରୀଙ୍କୁ ସାମିଲ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ପ୍ରାୟ ୩ କୋଟି ୨୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ରହିଥିବା ବେଳେ ପ୍ରାୟ ୬ ଲକ୍ଷ ନୂଆ ଆବେଦନ କରିଛନ୍ତି। ଭୂତ ହିତାଧିକାରୀଙ୍କୁ ବାଦ ଦିଆଯାଇ ନୂଆ ହିତାଧିକାରୀଙ୍କୁ ସାମିଲ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର।