ତପସ୍ୱିନୀଙ୍କ ପରେ ଧାରଣା ଦେଲେ ଡଲିସ୍ମିତା! ସ୍ୱାମୀଙ୍କ ଦ୍ଵିତୀୟ ବିବାହକୁ ବିରୋଧ କରି ଦୋକାନ ଆଗରେ କଲେ ହଙ୍ଗାମା, ଦେଖନ୍ତୁ ଭିଡ଼ିଓ

 

ଗଞ୍ଜାମ ବ୍ରହ୍ମପୁରର ସୁମିତ-ତପସ୍ୱିନୀ ମାମଲା କାହାକୁ ଅବା ଅଛପା ଅଛି। ଦୀର୍ଘଦିନ ଧରି ନ୍ୟାୟ ପାଇବା ପାଇଁ ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣା ଦେଉଥିବା ବେଳେ ଏବେ ଯାଜପୁର ଜାରକା ଅଞ୍ଚଳର ଆଉ ଜଣେ ମହିଳା ନ୍ୟାୟ ପାଇବା ପାଇଁ ସମାନ ରାସ୍ତା ଆପଣାଇଛନ୍ତି। ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରରେ ଏଭଳି ଏକ ମାମଲା ଦେଖିବାକୁ ମିଳିଥିବା ବେଳେ ଡଲିସ୍ମିତା ସାହୁ ନାମକ ଜଣେ ମହିଳା ନିଜ ସ୍ୱାମୀଙ୍କ ଲୁଗା ଦୋକାନ ଆଗରେ ଧାରଣା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାଇ ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ମାଳଦା ଗ୍ରାମର ସ୍ୱର୍ଗତ ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ୨୦୨୦ ମାର୍ଚ୍ଚ ୧୨ରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କୁ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତେବେ, ବିବାହର ୩-୪ ମାସ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଡଲିସ୍ମିତା ନିଜ ବାପଘରକୁ ଚାଲିଆସିଥିଲେ।

ଏବେ ଏହି ଦମ୍ପତ୍ତିଙ୍କର ଛାଡ଼ପତ୍ର ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଡ଼ଳିସ୍ମିତା ଭରଣପୋଷଣ ଦାବି କରୁଛନ୍ତି। କିନ୍ତୁ, ଅରବିନ୍ଦ ଏଥିରେ ରାଜି ନ ହୋଇ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ। ଡଲିସ୍ମିତା ଏହାର ବିରୋଧ କରି ଜାରକା ବଜାରରେ ଥିବା ସ୍ୱାମୀଙ୍କ ଦୋକାନ ଆଗରେ ଧାରଣା ଦେଉଛନ୍ତି। ତେବେ, ଡଲିଙ୍କର ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାପରେ ପୋଲିସ ସମ୍ପୃକ୍ତ ଦୋକାନକୁ ବନ୍ଦ କରି ମହିଳା ଏବଂ ତାଙ୍କ ମାଆଙ୍କୁ ବୁଝାଶୁଝା କରୁଥିବା ଜାଣିବାକୁ ମିଳିଛି।