ଓଡିଶାକୁ ମାଡି ଆସୁଛି ବାତ୍ୟା, ଏହିସବୁ ଜିଲ୍ଲାକୁ ହାଇ ଆଲର୍ଟ, ୨୩ ରୁ ପ୍ରବଳ ବର୍ଷିବ, ଏଠାରେ କରିବ ଲ୍ୟାଣ୍ଡଫଲ୍

 

ଅଶାନ୍ତ ହେବାରେ ଲାଗିଛି ସମୁଦ୍ର । ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା 'ଦାନା'। ଏନେଇ ଆଲର୍ଟ ଜାରି ହୋଇଛି। ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ ପଶ୍ଚିମବଙ୍ଗରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହି ଘୂର୍ଣ୍ଣିବଳୟ ୨୪ ରୁ ୨୬ ଅକ୍ଟୋବର ମଧ୍ୟରେ ଉପକୂଳକୁ ଛୁଇଁବ । ଏହା ଦ୍ୱାରା ଭାରତ, ବାଂଲାଦେଶ ଏବଂ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସୂଚନା ଅନୁସାରେ, ୨୦ ତାରିଖ ସୁଦ୍ଧା ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳ ସୃଷ୍ଟି ହେବ, ୨୨ ତାରିଖରେ କେନ୍ଦ୍ରୀ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧ ରାଜ୍ୟରେ ବର୍ଷା ଆରମ୍ଭ ହେବ ।

ଏହା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ପବନର ବେଗ ୧୫୦କିମି ଡେଇଁପାରେ। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। 

ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଆନ୍ତର୍ଜାତିକ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୨୫ ଏବଂ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଛି। ଏହା ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ। ଘୂର୍ଣ୍ଣିବଳୟ ସୃଷ୍ଟି ପରେ ବାତ୍ୟାର ଗତିପଥ ଏବଂ ତୀବ୍ରତା ସ୍ପଷ୍ଟ ହେବ ।

ଜିଏଫଏସ, ଇସିଏମ୍‌ଡବ୍ଲ୍ୟଏଫ, ଏନ୍‌ଏଭିଜିଇଏମ୍‌, ଆଇସିଓଏନ ଏବଂ ଆସେସ-ଜି ଆଦି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି, ଯେ, ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ରାତି କିମ୍ବା ୨୫ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିପାରେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ଓଡ଼ିଶାର ଭଦ୍ରକ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି ଏବଂ ବାତ୍ୟା ସଂକ୍ରାନ୍ତରେ କୌଣସି ଆକଳନ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି।