ବୁଡ଼ିଗଲାଣି ଭିତରକନିକା, ୩ ଫୁଟ ଉଚ୍ଚତାରେ ମାଡ଼ିଆସିଲା ସମୁଦ୍ର, ପାଣିରେ ଭାସିଲେ ପୁଳା ପୁଳା କୁମ୍ଭୀର!

 

ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୬୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ମଝି ରାତିରେ କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ 'ଦାନା' ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ ।

ପ୍ରବଳ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ଆଶଙ୍କାରେ ଉପକୂଳ ବାସୀ। ସାମୁଦ୍ରିକ ବାତ୍ୟା ଦାନାକୁ ସାମନା କରିବାକୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଏନ୍‌ଡିଆରଏଫ୍‌, ଓଡ୍ରାଫ୍ ଅଗ୍ନିଶମ ବାହିନୀ ସମେତ ସମସ୍ତ ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ସଂକଳ୍ପ କିପରି ବିନା ଜୀବନ ହାନୀରେ ସାମୁଦ୍ରିକ ବାତ୍ୟାକୁ ସାମନା କରିବା।

ତେବେ ବାତ୍ୟା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଏହା ପ୍ରଭାବରେ ଭିତରକନିକାରେ ଜୁଆର ପାଣି ମାଡି ଆସିଛି। ଏହାକୁ ଦେଖି ଭିତରକନିକାବାସୀ ଭୟଭୀତ ହୋଇଯାଇଛନ୍ତି। ବାତ୍ୟା ପୂର୍ବରୁ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ସେ କହିଛନ୍ତି, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ପ୍ରବଳ ଜୁଆର ଆସିବ। ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ 'ଦାନା' ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲା। ମାତ୍ର ଏବେ ବାତ୍ୟା 'ଦାନା'ର ଗତିପଥରେ ସମାନ୍ୟ ପରିବର୍ତ୍ତନ ହୋଇଛି। ଫଳରେ ଏହା ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା ରହିଛି। ଅକ୍ଟୋବର ୨୪ ଗୁରୁବାର ମଧ୍ୟ ରାତିରୁ ବାତ୍ୟା'ଦାନା'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ଅକ୍ଟୋବର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ।

ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତି ଜାରି ହେବ। ଏହି ସମୟ ମଧ୍ୟରେ ସର୍ବାଧିକ ପବନର ବେଗ ପ୍ରାୟ ୧୨୦ କିଲୋମିଟର ହେବାର ସମ୍ଭାବନା ଅଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହା ସୂଚନା ଦେଇଛନ୍ତି।