ଆଟୋରେ ବସୁଥିଲେ ସାବଧାନ! ନିଶା ଖୁଆଇ ଲୁଟି ନେଉଛନ୍ତି ଅଟୋ ଡ୍ରାଇଭର, ଜାଣନ୍ତୁ ପୁରା ଘଟଣା

 

ଆତ୍ମୀୟତା ବଢ଼ାଇ ପ୍ରଥମେ ଅଟୋରେ ବସାଇଲେ, ନିଶା ଦେଇ ଟଙ୍କା ଲୁଟିନେଲେ ଅଟୋ ଡ୍ରାଇଭର। କାମାକ୍ଷାନଗର ଲୋକନାଥପୁର ଗାଁର ଅଶୋକ ସାହୁ ଲୁଟର ଶିକାର ହୋଇଛନ୍ତି । ଦୁଇ ଦିନ ଧରି ରାସ୍ତା କଡ଼ରେ ଅଚେତ ହୋଇ ପଡିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଘରକୁ ଫେରିଛନ୍ତି ଅଶୋକ ।

ଲୁଟର ଶିକାର ହୋଇଥିବା ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ଅଶୋକ ସାହୁ। ଅଶୋକ ଭୂବନେଶ୍ବର ସ୍ଥିତ ଫୁଲନଖରାରେ ଏକ ଘରୋଇ କନଷ୍ଟ୍ରକ୍ସନ କମ୍ପାନୀରେ କାମ କରନ୍ତି। ଦୀପାବଳି ପାଳନ ପାଇଁ ନିଜ ଘରକୁ ଛୁଟିରେ ଆସୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଅଶୋକ। ସୂଚନା ଅନୁସାରେ, ଅଶୋକ ଦୀପାବଳି ପୂର୍ବ ଦିନ ନିଜ ଗାଁକୁ ଆସୁଥିବା ବେଳେ କଟକ ଲିଙ୍କ ରୋଡ଼ରେ କାମାକ୍ଷାନଗର ଆସୁଥିବା ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ଅଟୋ ଆସି କାମାକ୍ଷାନଗର ଯାଉଥିବା ନେଇ ଅଶୋକଙ୍କୁ କହିବା ସହ ତାଙ୍କ ଘର କାମାକ୍ଷାନଗର ଅଞ୍ଚଳରେ ହୋଇଥିବା କହିଥିଲେ।

ଅଶୋକ ଅଟୋରେ ବସି ଗାଁକୁ ଆସୁଥିବା ବେଳେ ଚୌଦ୍ୱାର ନିକଟରେ ଅଟୋ ଚାଳକ ଜଣକ ଅଶୋକଙ୍କୁ ଏକ ଅମୁଲ କୁଲ ପିଇବାକୁ ଦେଇଥିଲେ। ଅମୁଲ କୁଲ ପିଇବାର କିଛି ସମୟ ପରେ ଅଶୋକଙ୍କ ମୁଣ୍ଡ ବୁଲାଇବା ସହ ସେ ଅଚେତ ହୋଇ ପଡିଯାଇଥିଲେ। ଫଳରେ ଅଟୋ ଚାଳକ ଜଣକ କୁସପଙ୍ଗି ନିକଟରେ ଅଶୋକଙ୍କୁ ଫିଙ୍ଗିଦେଇ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ, ନଗଦ ଟଙ୍କା ଓ ଘରକୁ ଆଣୁଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ।

ରାତି ହେବା ଯାଏଁ ଅଶୋକଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ଲୋକ ପ୍ରଥମେ କାମାକ୍ଷାନଗର ଥାନା ଓ ପରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଥିଲେ। ଘଟଣାର ଦୁଇ ଦିନ ଯାଏଁ ପରିବାର ଲୋକଙ୍କୁ ଅଶୋକଙ୍କ କୌଣସି ପତ୍ତା ମିଳିନଥିଲା। ଦୁଇ ଦିନ ପରେ ହଠାତ ରାତିରେ ଅଶୋକ କୁସପଙ୍ଗି ଠାରେ ଏକ ବୁଦା ଭିତରେ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରିବାରକୁ ସୂଚନା ଦେଇଥିଲେ। ପରିବାର ଲୋକ ସେଠାରେ ପହଞ୍ଚି ଅଶୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇ ଘରକୁ ନେଇଥିବା ବେଳେ ଅଟୋ ଚାଳକ ଜଣକ ଅମୁଲ କୁଲରେ ନିଶା ଦେଇ ଏପରି କରିଥିବା ଅଶୋକ ପ୍ରକାଶ କରିଛନ୍ତି।