ଭୁବନେଶ୍ଵରରେ ପୁଣି ଆତ୍ମହତ୍ୟା! ପୁଅକୁ ସ୍କୁଲ ପଠାଇ ଫ୍ୟାନରେ ଝୁଲିପଡିଲେ ଦମ୍ପତ୍ତି, କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଜାଣନ୍ତୁ ପୂରା ଘଟଣା

 

ରାଜଧାନୀରେ ବଢ଼ିଚାଲିଛି ଆତ୍ମହତ୍ୟା ଘଟଣା। ଏବେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଦମ୍ପତ୍ତି ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ସହରର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆତ୍ମହତ୍ୟା କରିବାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସ୍ଥାନୀୟ ସିଦ୍ଦି ବିନାୟକ ଆପର୍ଟମେଣ୍ଟରେ ଏହି ଦମ୍ପତ୍ତି ଓ ତାଙ୍କର ପୁଅ-ଝିଅ ରହୁଥିବା ବେଳେ ଆଜି ପୁଅ ଏବଂ ଝିଅକୁ ସ୍କୁଲ ପଠାଇ ଦେବାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଏବଂ ଝଗଡ଼ା ଆରମ୍ଭ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥାଇ ପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି।

 ତେବେ, ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାମ ସଞ୍ଜୟ ପେରିୱାଲ ଏବଂ ମୃତ ପତ୍ନୀଙ୍କ ନାମ ସଞ୍ଜନା ପେରିୱାଲ ବୋଲି ଜଣାପଡିଛି। ସେମାନେ ସିଦ୍ଦି ବିନାୟକ ଆପର୍ଟମେଣ୍ଟର ରୁମ୍ ନମ୍ବର ୪୦୫ ରେ ରହୁଥିଲେ। ଆତ୍ମହତ୍ୟା କରିବା ସମୟରେ ଉଭୟଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ବଞ୍ଚାଇବାକୁ ଉଦ୍ୟମ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସଞ୍ଜନାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରିନଥିଲା।