ପୁଣି ଆସୁଛି ବଡ଼ ବର୍ଷା ବଙ୍ଗୋପସାଗର ଦାନା ବାନ୍ଧୁଛି ଆଉଏକ ଲଘୁଚାପ, ୨୩ରୁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

 

ସାରା ଓଡ଼ିଶା ବର୍ତ୍ତମାନ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତାରେ ରହିଥିବା ବେଳେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସହିତ ଆଉ ଏକ ଲଘୁଚାପ ଦାନା ବନ୍ଧୁଥିବାରୁ ଆଗାମୀ ୨୩ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ମାଧ୍ୟମ ଧାରଣର ବର୍ଷା ହେବାର ସମ୍ଭାବନା ରହିଛି।

 ଏଥିନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୨୩ ତାରିଖରୁ ଉପକୂଳ-ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଅଛି। ୨୩ ରୁ ୨୪ ତାରିଖ ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ା, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷାର ପ୍ରକୋପ ରହିବ ବୋଲି ଅନୁମାନ କରାଯାଉଅଛି।

ସେହିଭଳି ୨୪ ତାରିଖରୁ ୨୫ ତାରିଖ ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କରୋପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକ ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବନ୍ୟା ପାଇଁ ପୂର୍ବରୁ ଜଳବନ୍ଦୀ ଥିବା ଅଞ୍ଚଳ ଗୁଡିକରେ ଲୋକଙ୍କୁ ଏଥିନେଇ ସଜାଗ ରହିବା ପାଇଁ ନିବେଦନ କରାଯାଇଛି।