ପ୍ରେମ ପାଇଁ ହାଇଡ୍ରାମା! ନିଜଠାରୁ ୮ ବର୍ଷ ସାନ ପ୍ରେମିକକୁ ବିବାହ କରିବା ପାଇଁ ଥାନାରେ ବିଷ ପିଇଦେଲେ ପ୍ରେମିକା, ଆଉ ତାପରେ...

 

ପ୍ରେମ ପାଇଁ ହାଇଡ୍ରାମା। ନିଜ ଠାରୁ ୮ ବର୍ଷ ସାନ ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରିଲେ ଯୁବତୀ। କେବଳ ଯେ ଜିଦ୍ ଧରିଲେ ତାହା ନୁହେଁ ପୋଲିସ ଆଗରେ ବିଷ ପିଇବା ପାଇଁ ମଧ୍ୟ ଚେଷ୍ଟା କରିଲେ। ଚନ୍ଦ୍ରଶେଖରପୁର ଥାନା ଆଗରେ ଏଭଳି ଘଟଣା ଘଟିଯାଇଥିବା ବେଳେ ବିଷ ପିଇଥିବା ଯୁବତୀ ଜଣକ ସୁସ୍ଥ ଥିବା ନେଇ ପୋଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାଇ ନୀଳାଦ୍ରି ବିହାରର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ଯୁବତୀଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ସେ ଇନ୍‌ଫୋସିଟି ଅଞ୍ଚଳର ୨୦ ବର୍ଷୀୟ ଯୁବକଙ୍କ ସହିତ ଗତ ଦୁଇବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ। ଯୁବକଙ୍କର ଯୁକ୍ତ ୩ ପରୀକ୍ଷା ଥିବାରୁ ସେ ପ୍ରେମିକାକୁ ସମୟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ହୋଇ ଯୁବତୀ ଜଣକ ତାଙ୍କ ସହିତ ଝଗଡ଼ା କରିଥିଲେ।

କେବଳ ସେତିକି ନୁହେଁ ବରଂ ଯୁବତୀ ଜଣକ ପ୍ରେମିକର ଘରେ ପହଞ୍ଚି ବିବାହ କରିବା ପାଇଁ ଜିଦ ଧରି ବସିଥିଲେ। ଏପରିକି ସେ ବିବାହ ନ କରିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେବାରୁ ଯୁବକଙ୍କ ପରିବାର ତରଫରୁ ଏଥିନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଥିବାବେଳେ ସେଠାରେ ମଧ୍ୟ ଯୁବତୀ ଜଣକ କୌଣସି ଏକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବତୀଙ୍କୁ ଡାକ୍ତରଖାନା ନିଆ ଯାଇଥିବା ବେଳେ ପରେ ଆପୋଷ ବୁଝାବଣା ହୋଇଥିବା ପୋଲିସ ସୂଚନା ଦେଇଛି।