ବାତ୍ୟା ଭୟ ଭିତରେ ଅଶ୍ୱସ୍ତି! ଓଡ଼ିଶା ଉପକୂଳ ଛୁଇଁ ନ ପାରେ ସାମୁଦ୍ରିକ ଝଡ଼, ଜାଣନ୍ତୁ ପୂରା ଖବର

 

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାରିଛି। ଫଳରେ ଏହା ବାତ୍ୟାର ରୂପ ନେଇ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ଆଶଙ୍କା କରାଯାଉଛି। ତେବେ, ଆଶ୍ୱାସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଂଟର ମୁଖ୍ୟ ଆର.କେ ଜେନାମଣି। ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳ ଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ସୁଦ୍ଧା ଅବପାତର ରୂପ ନେଇ ସାରିଥିବା ବେଳେ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ୮ ତାରିଖ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହୋଇଯିବ। ଘଣ୍ଟା ପ୍ରତି ୭୫ ରୁ ୮୦ କିମି ପର୍ଯ୍ୟନ୍ତ ପବନ ବହିବା ସହିତ ପବନର ଝଟକା ୧୦୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି।

 ୧୦ ତାରିଖ ସଂଧ୍ୟା ଯାଏଁ ଉତର ପଶ୍ଚିମ ଦିଗରେ ବାତ୍ୟା ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ଆକଳନ କରାଯାଇଥିଲେ ହେଁ ବାତ୍ୟା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଠାରୁ ଦୂରେଇ ଯିବା ସମ୍ଭାବନା ରହିଛି। ଏଭଳି ହେଲେ ଓଡିଶା ଉପରେ ଏହା ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ତେବେ, ବାତ୍ୟା ଠାରୁ ବିପଦ ନଥିଲେ ହେଁ ୧୦ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ପ୍ରଭାବରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ, ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି।