ପ୍ରକୃତିଙ୍କୁ ସମର୍ଥନ କଲେ ଅଭିନେତା ଚିନ୍ମୟ ମିଶ୍ର, କହିଲେ, ପ୍ରକୃତିଙ୍କ କ୍ୟାରିଅର୍ ଖରାପ କରନି, ତାଙ୍କୁ କିଛି କହିବା ପୂର୍ବରୁ...

 

ଷ୍ଟାର ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦକୁ ନେଇ ଓଲିଉଡ ଏବେ ଉଠୁଛି ଓ ପଡୁଛି। ପ୍ରକୃତି ମିଶ୍ର ବାବୁସାନଙ୍କ ପତ୍ନୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ତୃପ୍ତି ମଧ୍ୟ ପାଲଟା ମାମଲା ରୁଜୁ କରିଛନ୍ତି। ଏହାରି ଭିତରେ ସାଧାରଣ ଲୋକଙ୍କ ବ୍ୟତୀତ ଅନ୍ୟ ଅଭିନେତା ଏବଂ ଚଳଚିତ୍ର ଜଗତ ସହିତ ଯୋଡି ହୋଇଥିବା ଲୋକେ ଗଣମାଧ୍ୟମ ଆଗରେ ନିଜର ମତ ରଖୁଛନ୍ତି।

ଏହି ଘଟଣାରେ ପ୍ରକୃତିଙ୍କ ଅଧିକ ଭୁଲ ରହିଥିବା ପ୍ରାୟତଃ ଲୋକେ ପ୍ରକାଶ କରୁଥିବା ବେଳେ ଓଲିଉଡ ଅଭିନେତା ଚିନ୍ମୟ ମିଶ୍ର କିନ୍ତୁ ପ୍ରକୃତିଙ୍କୁ ସମର୍ଥନ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜର ମତ ରଖିଛନ୍ତି। ସେ ଲେଖିଛନ୍ତି ଯେ,"ମୁଁ କେବଳ କହିବାକୁ ଚାହେଁ, ସାମାନ୍ୟ ଉତ୍ତେଜନା ଉପରେ ଆମେ କେତେଥର ଲୋକଙ୍କ ସ୍ୱପ୍ନ, ଅଭିଳାଷ ଏବଂ ଆକାଂକ୍ଷାକୁ ନଷ୍ଟ କରିବାକୁ ଯାଉଛୁ ? ଟିଆରପି ଭୋକ କେବେଠାରୁ ଏମିତି ହେଇଯାଇଛି କି, ଯେତେବେଳେ କାହାର ପୁରା ଭବିଷ୍ୟତ ବିପଦରେ ପଡ଼େ ଆମେ ତାକୁ ବଦନାମ କରିବା ପୂର୍ବରୁ ଦୁଇଥର ଚିନ୍ତା କରୁନାହୁଁ ? ଯେଉଁମାନେ ଘୃଣା ବିସ୍ତାର କରୁଛନ୍ତି ସେଭଳି ଲୋକଙ୍କୁ ବିତର୍କରେ ଡାକିବା ଠାରୁ ଦୂରେଇ ରହିବା ଉଚିତ୍"।

ଏହା ବ୍ୟତୀତ ପ୍ରକୃତି ମିଶ୍ର ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ, ଯାହାର କଳାକାର ଭାବରେ ସମ୍ଭାବ୍ୟ କ୍ୟାରିୟର ନ୍ୟାୟ ବିନା ନଷ୍ଟ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଭାରତୀୟ ନ୍ୟାୟବ୍ୟବସ୍ଥା ଏବଂ ପୋଲିସ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଆଗକୁ ଯାଇ ଏହି ଘଟଣାରେ ପୋଲିସ ସତ୍ୟତାକୁ ସାମ୍ନାକୁ ଆଣିବାରେ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।