ମାତ୍ର ୪୦ ବର୍ଷରେ ସିଦ୍ଧାର୍ଥଙ୍କ ଜୀବନ ନେଇଗଲା ହାର୍ଟ ଆଟାକ୍, ଏହି ୪ଟି ବଡ଼ କାରଣ କମ୍ ବୟସରେ ହୃଦଘାତର ମୁଖ୍ୟ କାରଣ

 

ବିଗ୍ ବସ୍-୧୩ ର ବିଜେତା ତଥା ଜଣା ଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଜି ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ସିଦ୍ଧାର୍ଥ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ କୁପର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁ ସମୟରେ ସିଦ୍ଧାର୍ଥଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ଏତେ କମ ବୟସରେ ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ଜାଣି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସାଧାରଣତଃ ମଣିଷର ଏକ ନିର୍ଦ୍ଦିଷ୍ଟ ବୟସରେ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ହୃଦଘାତର ଘଟଣା ରିପୋର୍ଟ କରାଯାଇଥାଏ, କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଯୁବକମାନଙ୍କ ମଧ୍ୟରେ ହୃଦଘାତ ହେତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା ନିଶ୍ଚିତ ଭାବରେ ଏକ ଚିନ୍ତାଜନକ ବିଷୟ ଅଟେ। ତେବେ, ଅନେକାଂଶରେ ଅସନ୍ତୁଳିତ ଜୀବନଶୈଳୀ ହେତୁ ଯୁବକମାନେ ହୃଦୟ ସମ୍ବନ୍ଧୀୟ ରୋଗର ଶିକାର ହେଉଥିବା ଜଣାଯାଇଛି।

୧. ଜଙ୍କ ଫୁଡ୍:- ଆଜିକାଲି କମ ବୟସର ପିଲାମାନେ ଏବଂ ଯୁବକ ଯୁବତୀମାନେ ଜଙ୍କ ଫୁଡ଼ ଖାଇବାକୁ ପସନ୍ଦ କରିଥାନ୍ତି। ପାଟିକୁ ସୁଆଦିଆ ଲାଗୁଥିଲେ ହେଁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଦେହରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଥାଏ ଯାହାକି ହୃଦଘାତର ମୁଖ୍ୟ କାରଣ ଅଟେ।

୨. ବ୍ୟସ୍ତ ବହୁଳ ଜୀବନଶୈଳୀ:- ବ୍ୟସ୍ତ ବହୁଳ ଜୀବନ ଶୈଳୀ ହେତୁ ଖାଇବା ପିଇବାରେ ସନ୍ତୁଳନ ନ ରହିବା। ଏଥିସହିତ କାମ ପ୍ରେସର୍ ଏବଂ ଚିନ୍ତାରେ ରହିବା ଦ୍ୱାରା ଲୋକଙ୍କ ଠାରେ ହୃଦଘାତର ସମସ୍ୟା ଦେଖାଯାଇଥାଏ। 

୩. ଷ୍ଟେରଏଡ୍:- ସୁନ୍ଦର ଚେହେରା ଏବଂ ବଡ଼ି ତିଆରି କରିବା ପାଇଁ ଯୁବ ପିଢ଼ି ଜିମ୍ ଯାଇ କସରତ କରିଥାନ୍ତି। ଏଥିସହିତ କେତେକ ଯୁବକ ଶୀଘ୍ର ଭଲ ଚେହେରା କରିବା ପାଇଁ ଷ୍ଟେରଏଡ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ବ୍ୟବହାର କରିଥାନ୍ତି ଯାହା ପରେ ହୃଦଘାତର ମୁଖ୍ୟ କାରଣ ସାଜିଥାଏ।

୪. ନିଶା ସେବନ କରିବା:- ସାଧାରଣତଃ ୧୮ ରୁ ୨୫ ବର୍ଷ ବୟସ ଭିତରେ ଯୁବକ ଯୁବତୀମାନେ ନିଶା ସେବନ କରିବା ଆରମ୍ଭ କରିଥାନ୍ତି। କିନ୍ତୁ, ଏହାର ମାତ୍ରାଧିକ ଏବଂ ନିୟମିତ ସେବନ ହୃଦଘାତକୁ ଡାକରା ଦେଇଥାଏ।

ଏବେର ସମୟରେ ଯେ କୌଣସି ବୟସ ବର୍ଗର ବ୍ୟକ୍ତି ହୃଦଘାତର ଶିକାର ହେଉଛନ୍ତି। ତେଣୁ ନିଦ୍ରାହୀନତା, ନିଶ୍ୱାସ ନେବାରେ ଅସୁବିଧା, ଅତ୍ୟଧିକ ଥକ୍କା, ଅନିୟମିତ ହୃଦସ୍ପନ୍ଦନ ଏବଂ ଗୋଡ ଫୁଲିଯିବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।