ଅଧିକ ଲୁଣ ଖାଇବାର ଅଭ୍ୟାସ ଥିଲେ ସାବଧାନ! କମିଯିବ ଆୟୁଷ ଅକାଳରେ ଚାଲିଯିବ ଜୀବନ, ଜାଣନ୍ତୁ କେମିତି

 

ଆପଣଙ୍କର ମଧ୍ୟ ଖାଦ୍ୟରେ ଅଧିକ ଲୁଣ ମିଶାଇ ଖାଇବାର ଅଭ୍ୟାସ ରହିଛି କି? ତେବେ, ହୋଇଯାଆନ୍ତୁ ସାବଧାନ କାରଣ ଏକ ନୂଆ ଗବେଷଣା ଅନୁଯାଇ ଆପଣଙ୍କର ଏହି ଅଭ୍ୟାସ ଆଗକୁ ଯାଇ ଆପଣଙ୍କ ଆୟୁଷ କମାଇଦେବ। ତୁଲେନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଦୀର୍ଘ ୧୦ ବର୍ଷ ଧରି ୫ ଲକ୍ଷରୁ ଉଦ୍ଧ୍ୱର୍ ବ୍ରିଟେନ୍‌ ବାସୀଙ୍କ ଉପରେ କରିଥିବା ଏକ ଅଧ୍ୟୟନରୁ ଏଭଳି ସତ୍ୟ ସାମ୍ନାକୁ ଆସିଛି।

ଖାଦ୍ୟରେ ଦରକାର ଠାରୁ ଅଧିକ ଲୁଣ ବ୍ୟବହାର କରୁଥିଲେ ୭୫ ବର୍ଷ ବୟସ ପୂର୍ବରୁ ମୃତ୍ୟୁର ଆଶଙ୍କା ୨୮ ପ୍ରତିଶତ ଅଧିକ ବଢିଯାଏ ବୋଲି ଜଣାପଡ଼ିଛି। ପ୍ରକୃତରେ ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତରେ ଜଳ ଧାରଣ ଆଶଙ୍କା ବଢିବା ସହିତ ରକ୍ତ ବାହିକା ଉପରେ ଚାପ ପଡ଼େ ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ। ରକ୍ତଚାପ ହୃଦରୋଗ ଏବଂ ଷ୍ଟ୍ରୋକର ପ୍ରମୁଖ କାରଣ ହୋଇଥିବାରୁ ଲୋକେ ଏଥିରେ ପୀଡିତ ହୋଇ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି।

ଗବେଷଣାର ହାରାହାରି ୯ ବର୍ଷ ମଧ୍ୟରେ ୧୮,୪୭୪ ଅପମୃତ୍ୟୁ (୭୫ ବର୍ଷରୁ କମ୍‌) ମାମଲା ରେକର୍ଡ କରାଯାଇଥିଲା। ଅଧିକ ଲୁଣ ଖାଉଥିବା ପ୍ରତି ୧୦୦ ଜଣଙ୍କ ମଧ୍ୟରେ ୪୦-୬୯ ବର୍ଷ ବୟସର ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ, ଖାଦ୍ୟପେୟରେ ସଠିକ ପରିମାଣର ଲୁଣ ବ୍ୟବହାର କରିବା ସହିତ ସାଧାରଣ ଲୁଣ ଅପେକ୍ଷା ସୋଡିୟମ୍‌ ମାତ୍ରା କମ୍‌ ଓ ପୋଟାସିୟମ୍‌ ଅଧିକ ଥିବା ଲୁଣ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।