ଫାର୍ମହାଉସରେ ସାଙ୍ଗଙ୍କ ସହ ଚାଟିଙ୍ଗ୍ ବେଳେ ସଲମାନ ଖାଁଙ୍କୁ କାମୁଡ଼ିଲା ସାପ, ହସ୍ପିଟାଲରେ ଭର୍ତ୍ତି, ବର୍ତ୍ତମାନ ତାଙ୍କ ଅବସ୍ଥା...

 

ବଲିଉଡ଼ର ଭାଇଜାନ୍ ବୋଲାଉଥିବା ସୁପରଷ୍ଟାର ସଲମାନ ଖାଁଙ୍କୁ କାମୁଡ଼ିଲା ସାପ। ସଲମାନ ନିଜ ଫାର୍ମହାଉସରେ ସାଙ୍ଗମାନଙ୍କ ସହ ଚାଟିଂ କରୁଥିବା ବେଳେ ସେ ସର୍ପଦଂଶନର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନୱି ମୁମ୍ବାଇ ସ୍ଥିତ କାମୋଥେ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ, ତାଙ୍କୁ କାମୁଡିଥିବା ସାପଟି ବିଷହୀନ ହୋଇଥିବା ଜାଣିବା ପରେ ସଲମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାଇ ସଲମାନ ତାଙ୍କ ଫାର୍ମହାଉସରେ ଅବସ୍ଥାନ କରୁଥିବା ବେଳେ ଗତକାଲି ଫାର୍ମହାଉସ୍‌ର ମୁଖ୍ୟ ପାଦଚଲା ରାସ୍ତା ବାହାରେ ଥିବା ଏକ ବାଗାନ୍‌ ଅଞ୍ଚଳରେ ସାଙ୍ଗମାନଙ୍କ ସହିତ ଚାଟିଂ କରୁଥିଲେ। ଏହାରି ଭିତରେ ତାଙ୍କ ବାହୁକୁ ସାପଟି ଦଂଶି ଦେଇଥିଲା। ସଲମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ପ୍ରାୟ ୬-୭ ଘଣ୍ଟା ରହିଥିଲେ। ସୁସ୍ଥ ହେବା ପରେ ସେ ପୁନଶ୍ଚ ପନ୍‌ୱେଲ୍‌ ଫାର୍ମହାଉସ୍‌କୁ ଫେରିଆସିଥିବା ଜଣାଯାଇଛି।

ସଲମାନଙ୍କ ଏହି ବିରାଟ ଫାର୍ମ ହାଉସଟି ପାହାଡ଼ ଏବଂ ବୃକ୍ଷଲତା ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ଫାର୍ମହାଉସର ବଗିଚାରେ ଅନେକ ଥର ସେ ସାପ ଦେଖିଛନ୍ତି ବୋଲି ସଲମାନ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୭ ତାରିଖରେ ସଲମାନ ନିଜର ୫୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ସେ ଅଳ୍ପ କେତେଜଣ ସାଙ୍ଗ ମାନଙ୍କ ସହିତ ହିଁ ଏହି ଉତ୍ସବ ପାଳନ କରିବେ।