ପ୍ରୀତି ଜିଣ୍ଟା ପରେ ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାନ୍, ଫ୍ୟାନ୍ସକୁ କହିଲେ ମୁଁ ବାପା ହେବାକୁ ଚାହୁଁଛି ହେଲେ...

 

ନିକଟ ଅତୀତରେ ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ ତାଙ୍କ ପରିବାର ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିବାହର ଦୀର୍ଘ ଦିନ ପରେ ପ୍ରୀତି ମାଆ ହେବାରେ ସଫଳ ହୋଇଛନ୍ତି। ସରୋଗେସି ପଦ୍ଧତି ସାହାଯ୍ୟରେ ପ୍ରୀତି ଦୁଇଟି ଯମଜ ସନ୍ତାନର ମାଆ ହେବାରେ ସଫଳ ହୋଇଛନ୍ତି। ଏହି ଘଟଣାଟି ଜଣାପଡିବା ପରେ ଲୋକେ ପ୍ରୀତିଙ୍କ ରିଲ୍ ଲାଇଫକୁ ରିଅଲ ଲାଇଫ ସହିତ ଯୋଡ଼ିବାରେ ଲାଗିଛନ୍ତି।

ପ୍ରକୃତରେ କିଛି ବର୍ଷ ତଳେ ସଲମାନ ଖାଁ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଚଳଚିତ୍ର 'ଚୋରୀ ଚୋରୀ ଚୁପକେ ଚୁପକେ' ରେ ପ୍ରୀତି ଜଣେ ସରୋଗେଟ୍ ମଦର ହେବାର ଭୂମିକାରେ ଅଭିନୟ କରିଥିଲେ। ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଲୋକେ ରିଲ୍ ଲାଇଫରେ ଯାହା ଘଟିଥିଲା ତାହା ରିଅଲ ଲାଇଫରେ ଘଟୁଛି ବୋଲି କମେଣ୍ଟ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପ୍ରୀତିଙ୍କୁ ୪୬ ବର୍ଷ ହୋଇଥିବା ବେଳେ ସେ ନିଜ ସ୍ୱାମୀ ଜିନ୍ ଗୁଡ଼ଏନଫଙ୍କ ସହିତ ବସବାସ କରୁଛନ୍ତି।

 ଅନ୍ୟପକ୍ଷରେ, ଉକ୍ତ ଚଳଚିତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଲମାନ ଖାଁ ମଧ୍ୟ ସରୋଗେସି ପଦ୍ଧତିକୁ ସମର୍ଥନ କରିଥାନ୍ତି। ପୂର୍ବରୁ ସେ ଅନେକ ଅଭିନେତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ ହେଁ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଏଥିନେଇ ପ୍ରଶ୍ନ ପଚରା ଯିବାରୁ ଥରେ ସଲମାନ କହିଥିଲେ ଯେ,"ମୁଁ କେବେ ବିବାହ କରିବି ତାହା ଜଣାନାହିଁ କିନ୍ତୁ, ମୁଁ ନିଶ୍ଚିତ ଭାବରେ ବାପା ହେବାକୁ ଚାହେଁ"। ସଲମାନଙ୍କ ଏପରି ମନ୍ତବ୍ୟ ପରୋକ୍ଷ ଭାବରେ ସରୋଗେସି ପଦ୍ଧତିକୁ ଇଙ୍ଗିତ କରୁଛି ନିଶ୍ଚିତ।