ମିହିର ଦାସଙ୍କ ବିୟୋଗରେ ସ୍ତବ୍ଧ ସିନେ ଜଗତ! ଶୋକପ୍ରକାଶ କରି ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ

 

ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଅକାଳ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। ନିଜର ନିଖୁଣ ଅଭିନୟ ଏବଂ ଚଳଚଞ୍ଚଳ ବ୍ୟକ୍ତିତ୍ୱ ପାଇଁ ବେସ୍ ଲୋକପ୍ରିୟ ମିହିର ଦାସ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ ନିଶ୍ଚିତ। ତେବେ, ଏହି ଖବର ପାଇବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି।

ମିହିର ଦାସଙ୍କର ବିୟୋଗରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକପ୍ରକାଶ କରିଛନ୍ତି। ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମିହିର ନିଜ ଅଭିନୟ ମାଧ୍ୟମରେ ଅନେକଙ୍କ ହୃଦୟ ଜିତିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମିହିର ଦାସ ୧୯୫୯ ଫେବ୍ରୁଆରି ୧୧ ତାରିଖରେ ବାରିପଦାଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅଭିନୟକୁ କ୍ୟାରିୟର୍ କରିବା ନିଶାରେ ଆଗକୁ ବଢିଥିବା ମିହିର ଥିଏଟର୍, ସିନେମା ଏବଂ ଟେଲିଭିଜନ ସବୁଥିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।

୧୯୮୦ ମସିହାରେ ରାମାୟଣ ଚଳଚିତ୍ରରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ମିହିର ଦାସ ଆଗକୁ ସୁହାଗ ସିନ୍ଦୂର', 'ସ୍ତ୍ରୀ', 'ସମୟ ଖେଳୁଛି ଚକାଭଉଁରୀ, 'କଟକ', 'ଅଭିମନ୍ୟୁ, 'ଅଗସ୍ତ୍ୟ, 'ତୁ ମୋ ଦେହର ଛାଇ' ଭଳି ୨୦୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ଟିଭି ପରଦାରେ ମଧ୍ୟ ସେ ଜଣେ ଅଭିନେତା ଏବଂ ଉପସ୍ଥାପକ ଭାବରେ ସୁନାମ ଅର୍ଜନ କରିଥିଲେ। ୧୯୯୮ରେ 'ଲକ୍ଷ୍ମୀପ୍ରତିମା ଓ ୨୦୦୫ରେ 'ଫେରିଆ ମୋ ସୁନା ଭଉଣୀ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ୨୦୦୨ରେ ତାଙ୍କୁ 'ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ' ଓ 'ପ୍ରେମ ଅଢେଇ ଅକ୍ଷର' ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ମିଳିଛି। ତେବେ, ଆଜି ତାଙ୍କୁ ସତୀଚୌରାଠାରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହେବ।