ପଞ୍ଚଭୂତରେ ଲୀନ ହେଲେ ବର୍ଷିୟାନ ଅଭିନେତା ମିହିର ଦାସ, କ'ଣ ଥିଲା ମିହିରଙ୍କ ଶେଷ ଇଚ୍ଛା ଜାଣି ହେବେ ଦୁଃଖିତ

 

ଦୀର୍ଘ ୩୫ ବର୍ଷ ଧରି ଲୋକଙ୍କୁ ନିଜର ନିଖୁଣ ଅଭିନୟ ଜାଲରେ ବାନ୍ଧି ରଖିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ବର୍ଷିୟାନ ଅଭିନେତା ମିହିର ଦାସ। ନାୟକ, ଖଳନାୟକ ହେଉ ଅଥବା ହାସ୍ୟଅଭିନେତା ସବୁ ପ୍ରକାର ଚରିତ୍ରକୁ ଅତି ନିଖୁଣତାର ସହିତ ସେ ପ୍ରତିପାଦନ କରି ଆସୁଥିଲେ। ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କର ବିୟୋଗକୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ଭାବରେ ବିବେଚନା କରାଯାଉଛି।

ଗୋବିନ୍ଦ ଚାନ୍ଦଙ୍କ ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ 'ସ୍କୁଲ ମାଷ୍ଟର'ରେ ବ୍ରେକ୍‌ ପାଇଥିବା ମିହିର ପରବର୍ତ୍ତୀ ସମୟରେ 'ସୁହାଗ ସିନ୍ଦୂର', 'ସ୍ତ୍ରୀ', 'ସମୟ ଖେଳୁଛି ଚକାଭଉଁରୀ, 'କଟକ', 'ଅଭିମନ୍ୟୁ, 'ଅଗସ୍ତ୍ୟ, 'ତୁ ମୋ ଦେହର ଛାଇ' ଭଳି ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ। 'ପୁଅ ମୋର ଭୋଳା ଶଙ୍କରରେ' ଚାକର ଚରିତ୍ର ଏବଂ 'ଅଗସ୍ତ୍ୟା'ର କକା ଚରିତ୍ର ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ମୋର ପ୍ରଥମ ସିନେମା ସାବିତ୍ରୀରେ ତାଙ୍କ ସହିତ ଅଭିନୟ କରିଥିଲି। ପ୍ରଥମ ରିଲିଜ୍‌ ଚଳଚ୍ଚିତ୍ର 'ଜୀବନସାଥୀ' ଏବଂ ପ୍ରଥମ ନିର୍ଦ୍ଦେଶିତ ସିନେମା ମଧ୍ୟ ତାଙ୍କ ସହିତ କରିଥିଲି। ତାଙ୍କର ଶେଷ ଇଚ୍ଛା ଥିଲା ଯେ, ସେ ମରିବା ଦିନ କୌଣସି ସ୍ଥାନରେ ଶୁଟିଂ ବନ୍ଦ ହେବନି। -ଶ୍ରୀତମ ଦାସ, ଆର୍ଟିଷ୍ଟ ଆସୋସିଏସନ୍‌ର ସେକ୍ରେଟାରୀ

ମିହିରଙ୍କ ବିୟୋଗରେ ଦର୍ଶକ ଜଣେ ପ୍ରତିଷ୍ଠିତ ଅଭିନେତାଙ୍କ ଅଭିନୟ ଦେଖିବାର ସୁଯୋଗରୁ ବଞ୍ଚିତ ହେଲେ। ଓଡ଼ିଶାର କଳା ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହେଲା। -ରଞ୍ଜନ କୁମାର ଦାସ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ

ମିହିର ସାର୍‌ ଆମ ସମସ୍ତଙ୍କର ଆଇଡଲ୍‌। ଏକା ସଙ୍ଗେ ୫ରୁ ୬ଟି ଚଳଚ୍ଚିତ୍ରରେ ସେ କାମ କରି ପାରନ୍ତି। ମତେ ସେ ଅପ୍‌ଡେଟେଡ୍‌ ମିହିର ଦାସ ବୋଲି କହୁଥିଲେ। ତାଙ୍କ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। - ସବ୍ୟସାଚ୍ଚୀ ମିଶ୍ର, ଅଭିନେତା

କହିବାକୁ କିଛି ଭାଷା ନାହିଁ। ସେ ଜଣେ ଲୋକପ୍ରିୟ କଳାକାର ଥିଲେ, ସେ ମୋର ଭାଇ ଭଳି ଥିଲେ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। -ଜୟୀରାମ ସାମଲ, ହାସ୍ୟାଭିନେତା