ଭେନ୍ଟିଲେଟର୍‌ ସପୋର୍ଟରେ ଚାଲିଛି ଅଭିନେତା ମିହିର ଦାସଙ୍କ ଚିକିତ୍ସା, ଜାଣନ୍ତୁ ଏବେ କେମିତି ଅଛି ତାଙ୍କ ଅବସ୍ଥା

 

ଓଡ଼ିଶା ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ମିହିର କିଡନୀ ଜନିତ ସମସ୍ୟା ହେତୁ କିଛି ଦିନ ତଳେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 କିଡନୀ ରୋଗରେ ପୀଡିତ ଥିବା ମିହିରଙ୍କର ଏବେ ଡାଏଲେସିସ୍‌ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପାଇଁ ଭେନ୍ଟିଲେଟର୍‌ ସପୋର୍ଟର ବ୍ୟବହାର କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମିହିର ହୃଦଘାତର ଶିକାର ହେବାପରେ ଏଥିରୁ ରିକ୍‌ଭରି କରିଥିଲେ ହେଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି। ଏପରି ପରିସ୍ଥିତିରେ ପୁଣି କିଡନୀ ସମସ୍ୟା ହେତୁ ଗୁରୁତର ହେବାରୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଓଡିଶା ସିନେ କଳାକାର ସଂଘ, ତାଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକମାନେ ମିହିର ଦାସଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ମିହିର ଦାସ ନିଜ ଅଭିନୟ ଜୀବନ ଭିତରେ ନାୟକ, ଖଳନାୟକ, ହାସ୍ୟଅଭିନେତା ପରି ପ୍ରାୟ ସବୁ ଚରିତ୍ରକୁ ବେସ ନିପୁଣତାର ସହିତ ପ୍ରତିପାଦନ କରି ପାରିଥିଲେ। ଯେଉଁଥିପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ଲୋକଙ୍କମନରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।