ନିନ୍ଦନୀୟ ଘଟଣା: ସ୍ୱାମୀ ଙ୍କୁ ନିର୍ଧୁମ ପିଟିଲେ, ଏହି ସ୍ଥାନରେ କାରରେ ଟେକିନେଇ ସ୍ୱାମୀ ଆଗରେ ସ୍ତ୍ରୀକୁ କଲେ ବଳାତ୍କାର

 

ମହିଳା ମାନଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହେବାକୁ ଲାଗିଛି ଦେଶର ବିଭିନ୍ନ ଅଞ୍ଚଳ। ମହିଳାମାନଙ୍କ ଉପରେ ଅତ୍ୟାଚାର ଏବଂ ଶାରୀରିକ ଶୋଷଣର ଅନେକ ମାମଲା ସାମ୍ନାକୁ ଆସୁଥିବା ବେଳେ ରାଜସ୍ଥାନରୁ ଆଉ ଏକ ଗଣଦୁଷ୍କର୍ମର ଖବର ହସ୍ତଗତ ହୋଇଛି। ଏଠାରେ ଦୁର୍ବୁତ୍ତମାନେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ଘଟଣା ଦିନ ଏହି ଦମ୍ପତ୍ତି ବାଇକ୍‌ ଯୋଗେ ସରନୁ ହୋଇ ବାଡମେର ଯାଉଥିଲେ। ସେମାନେ ସରନୁ ଟୋଲ୍ ଗେଟ୍ ଅତିକ୍ରମ କରିବା ପରେ ପରେ ଦୁର୍ବୁତ୍ତମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ସେମାନଙ୍କ ଠାରୁ ତାଙ୍କ ବାଇକ ଛଡାଇ ଜଣେ ଫେରାର ହୋଇଯାଇଥିଲା। ପରେ ଆଉ ୩ ଜଣ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ସେମାନଙ୍କୁ କାରରେ ବସାଇ ଏକ ଶୂନଶାନ୍ ସ୍ଥାନକୁ ନେଇଯାଇଥିଲେ।

ସେଠାରେ ମହିଳାଙ୍କୁ ସେମାନେ ଜଣକ ପରେ ଜଣେ ଦୁଷ୍କର୍ମ କରିବାକୁ ଲାଗିଥିଲେ। ସ୍ୱାମୀ ଏହାର ବିରୋଧ ମାରିବାରୁ ଏହି ମଣିଷ ରୂପୀ ରାକ୍ଷସମାନେ ତାଙ୍କୁ ପୁଣି ପିଟି ପିଟି ବେହୋସ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଦୁର୍ବୁତ୍ତମାନେ ଦମ୍ପତ୍ତିଙ୍କୁ କାର ଯୋଗେ ଆଣି ପୁଣି ସେହି ଟୋଲ୍ ଗେଟ୍ ପାଖରେ ଛାଡ଼ି ଦେଇଥିଲେ।

ଦମ୍ପତ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ତେବେ, ଘଟଣାରେ ଦୁଷ୍କର୍ମ ପୀଡିତା ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।