ବର୍ବରତାର ସୀମା ଟପିଗଲେ ଦୁର୍ବୁତ୍ତ, ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ କାନକୁ ଚୋବାଇ ଚିଣ୍ଡାଇଦେଲେ, ଆଉ ତା ପରେ….

 

ବଳାତ୍କାର ସମ୍ଭବ ନ ହେବାରୁ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଲେ ଦବଙ୍ଗ ଯୁବକ। ଏପରିକି ଯୁବକ ଜଣକ ବିଧବା ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ କାନକୁ କାମୁଡି ଚେଇଣ୍ଡ ଦେଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର ଜନପଦ ଚିତ୍ରକୁଟରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। 

ଘଟଣା ମୁତାବକ ଉତ୍ତରପ୍ରଦେଶର ଜନପଦ ଚିତ୍ରକୁଟର କୋତୱାଲୀ ଅଞ୍ଚଳରେ ଏହି ବିଧବା ମହିଳା ରହୁଥିବା ବେଳେ ତାଙ୍କ ପଡ଼ୋଶୀ ଅଶୋକ ପଟେଲ ପ୍ରାୟ ୧ ବର୍ଷ ହେବ ଫୋନ କରି ତାଙ୍କୁ ହଇରାଣ କରି ଆସୁଥିଲେ। ଯୁବକ ଜଣକ ମହିଳାଙ୍କ ଦୂର ସମ୍ପର୍କୀୟ ହୋଇଥିବାରୁ ସେ ଅଭିଯୋଗ କରିନଥିଲେ। ଫଳରେ ଅଭିଯୁକ୍ତର ସାହସ ଆହୁରି ବଢିଯାଇଥିଲା। ସେ ଏକାଧିକ ଥର ପ୍ରେମ ନିବେଦନ କରିବା ସହ ଅଶ୍ଲୀଳ ଇଙ୍ଗିତ କରି ଆସୁଥିଲା।

ଗତ ବୁଧବାର ଦିନ ଅଭିଯୁକ୍ତ ମହିଳାଙ୍କ ଘର ଭିତରକୁ ଜୋର ଜବରଦସ୍ତ ପସିଯିବା ସହ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ପୀଡିତାଙ୍କ କାନକୁ କାମୁଡି ଚିଣ୍ଡାଇ ଦେଇଥିଲା। ଏତିକିରେ ଅଭିଯୁକ୍ତ ଅଶୋକର ମନ ଶାନ୍ତ ହୋଇନଥିଲା ଯେ ସେ ମହିଳାଙ୍କୁ ପଥରରେ ଛେଚି ରକ୍ତାକ୍ତ କରି ଦେଇଥିଲା।

ପୀଡିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦେଖି ଅଶୋକ ସେଠାରୁ ଚମ୍ପଟ ମାରିଥିଲା। ପଡ଼ୋଶୀ ଓ ଆଖ ପାଖ ଲୋକେ ପୀଡିତାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ଚିତ୍ରକୂଟ ପୋଲିସର କହିବା ମୁତାବକ, ଅଭିଯୁକ୍ତ ଯୁବକ ଓ ମହିଳାଙ୍କ ମଧ୍ୟରେ ପୂର୍ବରୁ ସମ୍ବନ୍ଧ ରହିଛି। ବୁଧବାର ରାତିରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯାହାକି ପରେ ମାରପିଟରେ ବଦଳିଯାଇଥିଲା । ଏବେ ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି। ତେବେ, ପୀଡିତା ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।