ଅମଣିଷ ସ୍ୱାମୀର ନୃଶଂସ କାଣ୍ଡ: ଶ୍ୱଶୁର ଘରେ ପଶି ସ୍ତ୍ରୀର ତଣ୍ଟି କଟିଦେଲା, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଶ୍ୱଶୁର ଘରେ ପଶି ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଲା ନୃଶଂସ ସ୍ୱାମୀ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ଘଟିଯାଇଛି ଏହିଭଳି ଏକ ଅଭାବନୀୟ ଘଟଣା। ମୃତ ମହିଳାଙ୍କ ନାମ ଇନ୍ଦିରା ପ୍ରିୟଦର୍ଶିନୀ ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ପ୍ରଧାନ ଗତ କାଲିଠାରୁ ଘଟଣାସ୍ଥଳରୁ ଫେରାର ଅଛି। ପରିବାର ତରଫରୁ ଏଥିନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାଇ ବିବାହ ପରେ କାର୍ତ୍ତିକ ଏବଂ ଇନ୍ଦିରାଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିଲା। ସ୍ୱାମୀ ତାଙ୍କୁ ସନ୍ଦେହ କରି ବାରମ୍ବାର ମାରଧର କରୁଥିବାରୁ ଇନ୍ଦିରା ଶାଶୂଘର ଛାଡ଼ି ବାପ ଘରେ ରହି ଆସୁଥିଲେ। ବହୁତ ଥର ଉଭୟଙ୍କ ମଧ୍ୟରେ ବୁଝାମଣା କରାଇବାକୁ ଚେଷ୍ଟା କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା ଏବଂ କାର୍ତ୍ତିକଙ୍କ ଅକଥନୀୟ ଅତ୍ୟାଚାର ବଢ଼ିବାରେ ଲାଗିଥିଲା।

ତେବେ, ଇନ୍ଦିରା ବାପ ଘରେ ଥିବାବେଳେ କିଛି ଦିନ ତଳେ କାର୍ତ୍ତିକ ସେଠାକୁ ରହିବାକୁ ଆସିଥିଲେ। ସେଠାରେ ରହିବା ଅବସ୍ଥାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଭୟଙ୍କର ରୂପ ନେଇଥିଲା। କାର୍ତ୍ତିକ ସେହିଦିନ ରାତିରେ ହିଁ ଇନ୍ଦିରାଙ୍କୁ ହତ୍ୟା କରିଥିବା ତାଙ୍କ ମାମୁ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଇନ୍ଦିରାଙ୍କୁ ଏକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।