ଏକତରଫା ପ୍ରେମ କରି ବିଫଳ ହେଲେ ଭବିଷ୍ୟତ ର IAS ଅଫିସର, ପାଲୋଟିଲେ ହତାଶିଆ ପ୍ରେମିକ

 

ମେକାନିକାଲ ଇଂଜିନିୟରିଂ ପଢ଼ିବା ବେଳେ ଏକତରଫା ପ୍ରେମ କରି ବିଫଳ ହେଲା। ପ୍ରେମରେ ବିଫଳ ହେବାପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। କେତେବେଳେ ଝିଅର ବାପା ହୋଇ ଜ୍ୱାଇଁଙ୍କୁ ଚିଠି ଲେଖୁଥିଲା ତ କେତେବେଳେ ମହିଳାଙ୍କ ସ୍ୱାମୀଙ୍କୁ ଡ୍ରଗସ ବେପାରୀ ସଜାଇ ଚଢ଼ଉ କରାଉଥିଲା। 

ଏଭଳି କାଣ୍ଡ ଭିଆଇଥିବା ପାଗଳ ପ୍ରେମିକକୁ ଗିରଫ କରିଛି ଭୁବନେଶ୍ୱର ସାଇବର୍ ଥାନା ପୁଲିସ। ତମାଣ୍ଡୋ ଅଞ୍ଚଳର ଜଣେ ଯୁବତୀ ଘାଟିକିଆ ଅଞ୍ଚଳରେ ଥିବା ଏକ କଲେଜରେ ଇଞ୍ଜିନିୟରିଂ ପଢ଼ୁଥିଲେ। ସେଠାରେ ମେକାନିକାଲ୍ ଇଂଜିନିୟରିଂ ପଢ଼ୁଥିବା ପ୍ରତ୍ୟୁଷ ତାଙ୍କୁ ପ୍ରେମ ନିବେଦନ କରିଥିଲା। 

ହେଲେ ଯୁବତୀ ଜଣଙ୍କ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାପରେ ଯୁବତୀଙ୍କ ଅନ୍ୟଆଡ଼େ ବିବାହ କଥା ଶୁଣି ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ପ୍ରତୁଷ । ବିବାହ ପରେ ଉତ୍ତରାଖଣ୍ଡ କୋଟଦ୍ୱାରରେ ରହୁଥିବା ଯୁବତୀ ଓ ତାଙ୍କ ସ୍ୱାମୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା। 

ପ୍ରଥମେ ଯୁବତୀଙ୍କୁ ତାଙ୍କ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ତଥ୍ୟ ଦେଇଥିଲା। ସେଥିରେ କୌଣସି ଫଳ ନ ମିଳିବାରୁ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ପ୍ରତୁଷ ନୂଆ ରାସ୍ତା ଆପଣାଇଥିଲା। ଏହାପରେ ନିଜକୁ ମହିଳାଙ୍କ ବାପା ପରିଚୟ ଦେଇ ମହିଳାଙ୍କ ଶାଶୂ ଘର ଲୋକଙ୍କୁ ଚିଠି ଲେଖିଥିଲା। 

ଚିଠିରେ ଜ୍ୱାଇଁ ନାମରେ ନାନା ପ୍ରକାର ମିଛ କଥା ଲେଖିଥିଲା। ବାରମ୍ବାର ଚିଠି ଓ ମେଲ୍ ପାଇଥିଲେ ମଧ୍ୟ ଏହା ପଛର କାହାର ହାତ ଅଛି ମହିଳାଙ୍କ ପରିବାର ଲୋକେ ଜାଣିପାରି ନ ଥିଲେ। ମହିଳାଙ୍କ ପରିବାର ସ୍ଥାନୀୟ ଉତ୍ତରାଖଣ୍ଡ ପୁଲିସର ସହାୟତା ଲୋଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। 

ଏହାପରେ ଭୁବନେଶ୍ୱର ସାଇବର୍ ଥାନାର ଦ୍ୱାରସ୍ଥ ହୋଇଥିଲେ। ଭୁବନେଶ୍ୱରରୁ ଚିଠି ଲେଖି ଫସି ଯାଇଥିଲା ପ୍ରତ୍ୟୁଷ। ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଚିଠି ଯାଇଥିବା ପୋଷ୍ଟ ଅଫିସକୁ ଯାଇ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବା ପରେ ସବୁ କଥା ପଦାକୁ ଆସିଥିଲା।