ଭୁବନେଶ୍ୱରରେ ରୋଡ଼ ରୋମିଓଙ୍କ ପାଦୁର୍ଭାବ! ପ୍ରେମ ନିବେଦନ ଗ୍ରହଣ ନ କରିବାରୁ କରିଲେ ଏପରି କାଣ୍ଡ, ଜାଣନ୍ତୁ ପୂରା ଘଟଣା

 

ବିଚ୍ ରାସ୍ତାରେ ରୋଡ଼ ରୋମିଓଙ୍କ ଦାଦାଗିରି। ବାରମ୍ବାର ପ୍ରେମ ନିବେଦନ ସତ୍ତ୍ୱେ ଝିଅ ରାଜି ନ ହେବାରୁ ଜୀବନରୁ ମାରିଦେବା ପାଇଁ ଧମକ ଦେଲା ଯୁବକ। ଏହିଭଳି ଏକ ଘଟଣା ଖୋଦ୍ ଭୁବନେଶ୍ୱର ଉପକଣ୍ଠ ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବା ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଅଭିଯୁକ୍ତ ଯୁବକଙ୍କ ନାମ ପ୍ରବୀର କୁହାଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାଇ ଶିଶୁପାଳଗଡ଼ ଅଞ୍ଚଳର ଉନ୍ମତ୍ତ ଯୁବକ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ଆସୁଥିଲେ। ସେ ଦୀର୍ଘ ଦିନ ହେବ ଉକ୍ତ ଯୁବତୀଙ୍କୁ କଲେଜ ଯିବା ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ସହ ହଇରାଣ ହରକତ କରି ଆସୁଥିଲେ। ଯୁବତୀ ଜଣକ ପ୍ରତିଥର ଏହି ଏକ ତାରଫା ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରି ଆସୁଥିବା ବେଳେ ଯୁବକ ଜଣକ ନିଜ ଜିଦ୍ ରେ ଅଟଳ ରହିଥିଲା।

ସୋମବାର ଦିନ ଯୁବତୀ ଜଣକ ଘରକୁ ଫେରୁଥିବା ବେଳେ ଉକ୍ତ ଯୁବକ ରାସ୍ତାରେ ଅଟକାଇ ପୁଣି ପ୍ରେମ ନିଦେଦନ କରିଥିଲା। ପୂର୍ବପରି ଯୁବତୀ ଜଣକ ମନା କରି ଦେଇଥିଲେ ହେଁ ଏଥର କିନ୍ତୁ, ପ୍ରେମରେ ଅନ୍ଧ ଯୁବକ ସବୁ ସୀମା ଟପି ଯାଇଥିଲା। ସେ ବିଚ ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲା। ଯଦି ତୁ ମୋତେ ଭଲ ନପାଇବୁ, ତେବେ ତତେ ମୁଁ ଜୀବନରୁ ମାରିଦେବି ବୋଲି ମଧ୍ୟ ଧମକ ଦେଇଥିଲା। ଯୁବତୀ ଜଣକ କୌଶଳକ୍ରମେ ସେଠାରୁ ଖସିଯାଇ ନିଜ ଘରେ ସବୁ ଜଣାଇଥିଲେ। ଯୁବତୀଙ୍କ ପରିବାର ତରଫରୁ ଏଥିନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।