ଏବେ ସମଲିଙ୍ଗୀଙ୍କ ଉପରେ ତାଲିବାନୀଙ୍କ ନଜର, ପ୍ରଥମେ ବଳାତ୍କାର କଲେ ଆଉ ବିରୋଧ କରିବାରୁ ଦେଲେ ଏହି ବଡ଼ ଦଣ୍ଡ

 

ଏବେ ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ତାଲିବାନ ଦେଶର ରାଜଧାନୀ କାବୁଲକୁ ପୂର୍ବରୁ ଅଧିକାର କରି ସାରିଥିବା ବେଳେ ଏବେ ନିଜର ସେନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରି ନେଇଛି ଆମେରିକା। ଏପରି ପରିସ୍ଥିତିରେ ତାଲିବାନର କ୍ରୁରତା ଏବଂ ଅତ୍ୟାଚାରର ଅନେକ ମାମଲା ସାମ୍ନାକୁ ଆସୁଛି। ପୂର୍ବରୁ ତାଲିବାନୀ ମାନେ କେବଳ ମହିଳାଙ୍କୁ ନିର୍ଯାତନା ଦେଉଥିବା ବେଳେ ଏବେ ସମଲିଙ୍ଗୀ ମାନଙ୍କୁ ମଧ୍ୟ ବଳାତ୍କାର କରୁଥିବା ଶୁଣିବାକୁ ମିଳୁଛି।

ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିନେବାର ଗୋଟିଏ ଦିନ ପରେ କିଛି ତାଲିବାନୀ ଜଣେ ସମଲିଙ୍ଗୀ ଯୁବକଙ୍କୁ ବଳାତ୍କାର କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ କେବଳ ମହିଳା ନୁହେଁ ବରଂ ସେଠାରେ ଥିବା ସମଲିଙ୍ଗୀ ସମୁଦାୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ଯୁବକ ଜଣକ ସମଲିଙ୍ଗୀ ହୋଇଥିବା ନେଇ ତାଲିବାନୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ସେମାନେ ଯୁବକଙ୍କ ପାଖରେ ପହଞ୍ଚି ବନ୍ଧୁତ୍ୱର ହାତ ବଢ଼ାଇବା ସହିତ ତାଙ୍କୁ ଏକ ସୁରକ୍ଷିତ ରାସ୍ତା ଦେଇ ଦେଶ ବାହାରକୁ ପଠାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ, ସମଲିଙ୍ଗୀ ଯୁବକ ଜଣକ ସେମାନଙ୍କ ସହ ଆସିବା ପରେ ବଳାତ୍କାରର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ ବରଂ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ଯୁବକଙ୍କୁ ମାଡ଼ ମରାଯାଇଥିଲା ବୋଲି ଜଣାଯାଇଛି।