ହୋଟେଲରେ ହାଇ-ପ୍ରୋଫାଇଲ ଆଡ୍ଡା, ପୋଲିସ୍ ଚଢ଼ାଉ ପରେ ଜଣାପଡିଲା ବାରରେ ଚାଲିଥିଲା ଏହି କାମ, ଦେଖନ୍ତୁ ଭିଡ଼ିଓ

 

କୋଭିଡ଼ କଟକଣା ଏବଂ ପୋଲିସ ପାଇଁତରା ସତ୍ତ୍ୱେ ରାଜଧାନୀର ଛାତି ଉପରେ ବେଧଡକ ଚାଲିଥିଲା ଜୁଆ ଖେଳ। ସେଇଟା ପୁଣି ହାଇଫାଇ ଏବଂ ଫିଲ୍ମି ଷ୍ଟାଇଲରେ, ମଦ ସହିତ କାର୍ଡ଼ ସର୍ଭ କରୁଥିଲେ ସୁନ୍ଦରୀ ମହିଳା। ତେବେ, ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିବା ସହ ୧୦ ରୁ ଅଧିକ ଯୁବକ ଯୁବତୀଙ୍କୁ ଗିରଫ କରିଛି।

କଟକ ରୋଡ଼ ସ୍ଥିତ ପେଣ୍ଟାଗନ୍ ବାର୍ ଉପରେ ଗତ ରବିବାର ଚଢ଼ାଉ କରିଥିଲା କାମିଶନରେଟ ପୋଲିସ। ବାର୍ ଭିତରେ ମଦର ଅସର ଜମିବା ସହ ଜୁଆ ଖେଳ ଚାଲୁଥିବା ବେଳେ ପୋଲିସ ଚଢାଉରୁ ବର୍ତ୍ତିବା ପାଇଁ କିଏ କୁଆଡେ ଛତ୍ରଭଙ୍ଗ ଦେଇଥିଲେ। ଏପରିକି ଏଥିରେ ଜଣେ ନାମୀ ବ୍ୟବସାୟୀ ଏବଂ ବାଲିପାଟଣା ଅଞ୍ଚଳର ଲୁଗା ବ୍ୟବସାୟୀ ଓ ରାଜନେତାଙ୍କ ପୁଅର ସମ୍ପୃକ୍ତି ଥିବା ମଧ୍ୟ ଜାଣିବାକୁ ମିଳିଛି। ତେବେ, ଚଢ଼ାଉ ବେଳେ ସେମାନେ ପୋଲିସ କୁ ଠେଲା ପେଲା କରିବା ସହ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଏ ସଂକ୍ରାନ୍ତରେ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ଆଇପିସି ଦଫା-୩୪୧, ୧୮୬, ୩୫୩, ୩୫୪, ୩୩୨, ୨୬୯, ୨୭୦, ୩୪ ଏବଂ ଓଡ଼ିଶା ଜୁଆ ଖେଳ ନିରୋଧ ଆଇନର ଧାରା-୩, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୯୬ ଏବଂ ମହାମାରୀ ଆଇନର ଧାରା-୩ ଅନୁସାରେ ମାମଲା ରୁଜୁ କରାଯାଇଛି। ଏହି ଜୁଆ ଆଡ଼ାରୁ ପେଣ୍ଟାଗନ୍ ହୋଟେଲ ମାଲିକ ଅରବିନ୍ଦ ମିଶ୍ର, ମଦ ବ୍ୟବସାୟୀ ପ୍ରଭଞ୍ଜନ ମହାନ୍ତି ଓରଫ୍ ପିଣ୍ଟୁ, ବସ୍ତ୍ରାଳୟ ମାଲିକ ତଥା ବାଲିପାଟଣା ଅଞ୍ଚଳର ଜଣେ ରାଜନେତାଙ୍କ ପୁଅ ବିଭୁଦତ୍ତ ପାତ୍ର ସମେତ ୩ ଯୁବତୀ ଏବଂ ୧୫ ଯୁବକଙ୍କୁ ଗିରଫ କରାଯାଇଛି। ଏଥିସହିତ ଘଟଣାସ୍ଥଳରୁ ନଗଦ ୨ ଲକ୍ଷ ୫୩ ହଜାର ଟଙ୍କା ଓ ୧୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି।