ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଧାନ ଖେତକୁ ଟାଣି ନେଲା ଦଶମ ଶ୍ରେଣୀର ନାବାଳକ, ମୁହଁକୁ ପଥର ମାରିଲା, ଆଉ ତାପରେ...

 

ନାବାଳକ ମୁଣ୍ଡରେ ପଶିଲା ସୈତାନ, ୨୩ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ କରିଲା ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳକ। କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ କେରଳ କୋଣ୍ଡୋଟ୍ଟି ମ୍ୟୁନିସିପାଲ୍‌ଟି ଅଞ୍ଚଳରେ ଏହିପରି ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି। ତେବେ, ଏହି ଆକ୍ରମଣରେ ମହିଳା ଜଣକ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ମୁତାବକ ପୀଡ଼ିତା ମହିଳା ଜଣକ କୋଟ୍ଟକ୍କରା ଜଙ୍ଗସନରୁ ନିୟମିତ ଏକ ବସ୍‌ ଧରି କମ୍ପ୍ୟୁଟର ଶିଖିବାକୁ ଯାଆନ୍ତି। ଏହି କମ୍ପ୍ୟୁଟର ସେଣ୍ଟରଟି ଘରଠାରୁ ମାତ୍ର ଏକ କିମି ଦୂର ହୋଇଥିବାରୁ ଧାନ ବିଲ ଦେଇ ଏକ ସର୍ଟକର୍ଟ ରାସ୍ତା ମଧ୍ୟ ରହିଛି। ସୋମବାର ଦିନ ଏହି ରାସ୍ତା ଦେଇ ମହିଳା ଜଣଙ୍କ ଯାଉଥିବା ବେଳେ ତାଙ୍କ ସହିତ ନାବାଳକ ଜଣକ ଦୁଷ୍କର୍ମ ପ୍ରୟାସ କରିଥିଲେ। ନାବାଳକଟି ପ୍ରଥମେ ପୀଡିତାଙ୍କୁ ପଛପଟୁ ଧରି ବିଲ ଭିତରକୁ ଟାଣି ନେଇଥିଲା, ଏହାକୁ ବିରୋଧ କରିବାରୁ ସେ ଏକ ଇଟା ସାହାଯ୍ୟରେ ମହିଳାଙ୍କ ମୁହଁକୁ ଛେଚି ପକାଇଥିବା ଜଣାଯାଇଛି।

କୌଶଳକ୍ରମେ ମହିଳା ଜଣକ ସେଠାରୁ ଖସି ଯାଇ ନିକଟସ୍ଥ ଏକ ଘରେ ପଶି ଯାଇଥିଲେ। ମହିଳା ଜଣଙ୍କ ଘଟଣା ସମ୍ପର୍କରେ ଖବର ଦେବା ପରେ କୋଟ୍ଟୁକ୍କରା  ୱାର୍ଡ କାଉନସିଲର ଉମର ଫାରୁକ ସେଠାରେ ପହଞ୍ଚିଥିଲେ ହେଁ, ଅଭିଯୁକ୍ତ ନାବାଳକ ଜଣକ ସେଠାରୁ ଖସି ପଳାଥିଲା। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ୍ କୁ ଆଧାର କରି ପୋଲିସ ଅଭିଯୁକ୍ତ ଘରେ ପହଞ୍ଚିଥିଲେ ହେଁ ତାଙ୍କ ବାପା ମାଆ ମାନଗଡା କାହାଣୀ ଶୁଣାଇଥିଲେ। ଏହା ସତ୍ତ୍ୱେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିବା ସହ ଜୁଭେନାଇଲ କୋର୍ଟରେ ହଜ଼ାର କରାଇବ ବୋଲି ଜଣାଯାଇଛି।