‘ମୁଁ ଯାହାକୁ ନିଜର ଭାବିଥିଲି, ସେ ମୋ ଜୀବନକୁ ନଷ୍ଟ କରିଦେଲା, ବାପା ଏମାନଙ୍କୁ ଛାଡ଼ିବନି’ ପ୍ରେମିକା ପାଇଁ ଜୀବନ ହାରିଲେ ଯୁବକ, ଜାଣନ୍ତୁ ପୂରା ଘଟଣା

 

ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଲେ ଯୁବକ। ରାଜ୍ୟରେ ଦିନକୁ ଦିନ ପ୍ରେମଜନିତ ମୃତ୍ୟୁ ମାମଲା ବଢୁଥିବା ବେଳେ ଭଦ୍ରକ ଜିଲ୍ଲାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୨ ବର୍ଷୀୟ ଛାତ୍ର ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ସହିତ ପ୍ରେମିକାର ସମ୍ପର୍କ ରହିଥିବା ଜାଣିବା ପରେ ସେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

ମୃତ ଛାତ୍ର ଜଣଙ୍କ ନାମ ଦିଗବିଜୟ ସ୍ୱାଇଁ ହୋଇଥିବା ବେଳେ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ତେନ୍ତୁଳିଗଢିଆ ଗ୍ରାମର ବସିନ୍ଧା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ତାଙ୍କର ହାତଲେଖା ଏକ ସୁଇସାଇଡ଼ ନୋଟ ଜବତ ହୋଇଛି। ଏଥିରେ ସେ ଲେଖିଛନ୍ତି ଯେ," ‘ପଇସା ପାଇଁ ମୋତେ ସବୁ ପର କରିଦେଲେ। କାହାକୁ କହିବି ଏ ଦୁଃଖ କଥା। ଜଗନକୁ ମୁଁ ବଡଭାଇ ଭଳି ମାନେ। ହେଲେ ଶେଷରେ ଗୋଟେ ଝିଅ ପାଇଁ ମୋତେ ଭୁଲିଗଲା। ବାସ୍ତବରେ ମୋର ବୁଝିବା ହିଁ ଭୁଲ୍‌ ଥିଲା। ମୁଁ ଆଉ କିଛି କରି ପାରିଲିନି। ମୁଁ ତୁମ ମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଆଉ ଯାହା ତଥ୍ୟ ସବୁ ମୋ ମୋବାଇଲରୁ ପାଇଯିବ। ମୋତେ ଜଗନ ଆଉ ସେ ଝିଅ ମିଶି ମରିବାକୁ ବାଧ୍ୟ କରିଛନ୍ତି। ‘Love You Bapa’।

 ଏହା ବ୍ୟତୀତ ତାଙ୍କୁ ସୁଇସାଇଡ଼ କରିବାକୁ ବାଧ୍ୟ କରିଥିବା ପ୍ରେମିକା ଏବଂ ସାଙ୍ଗ ଜଗନକୁ ଉଚିତ ଦଣ୍ଡ ଦେବାପାଇଁ ଦିଗବିଜୟ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଗବିଜୟ ଯେଉଁ ସାଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି ସେହି ସାଙ୍ଗ ଜଗନ ହିଁ ତାଙ୍କ ପରିବାର ଲୋକଙ୍କୁ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ସୁଇସାଇଡ଼ ନୋଟ ବିଷୟରେ ମଧ୍ୟ ଜଗନ ହିଁ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।