ଭୁଲିଗଲା ମାଆର ମମତା: ସାମାନ୍ୟ ବଚସାରୁ ବ୍ଲେଡ଼ରେ ମାଆର ତଣ୍ଟି କାଟି ଦେଲା ନିଜ ଜନ୍ମକଲା ପୁଅ, ଆଉ ତାପରେ...

 

କଥାରେ ଅଛି "ମାଆ ନାହିଁ ଯାହାର, ସାହା ନାହିଁ ତାହାର"। ସେଦିନ ରାଗ ତମତମ ହୋଇଯାଇଥିବା ପୁଅ ବୋଧେ ଏହି କଥା ପଦକ ଭୁଲିଯାଇଥିଲା, ସାମାନ୍ୟ ବଚସାକୁ କେନ୍ଦ୍ର କରି ପଶୁଙ୍କ ଠାରୁ ହିଂସ୍ର ପାଲଟିଗଲା ପୁଅ। ନିଜ ଜନ୍ମକଲା ମାଆର ତଣ୍ଟିକୁ ବ୍ଲେଡ଼ରେ କାଟି କରିଲା ଜଘନ୍ୟ ହତ୍ୟାକାଣ୍ଡ। ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏଭଳି ଏକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା କୁମ୍ଭାରୀ ଗ୍ରାମ ଅନ୍ତର୍ଗତ ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା କୋଶଳ ସାହୁ ନିଜ ପୁଅ ବିଦ୍ୟାଧର ସାହୁ ସହିତ ରହୁଥିଲେ। ୩୨ ବର୍ଷୀୟ ବିଦ୍ୟାଧର ବିବାହିତ ହୋଇଥିଲେ ହେଁ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀ ନିଜ ବାପ ଘରେ ରହୁଥିଲେ। ଏହାରି ଭିତରେ କୌଣସି କଥାକୁ କେନ୍ଦ୍ର କରି କୋଶଳ ଏବଂ ତାଙ୍କ ପୁଅ ମଧ୍ୟରେ ବଚସା ହୋଇଥିଲା।

 ଏଥିରେ ଉତକ୍ଷିପ୍ତ ହୋଇ ବିଦ୍ୟାଧର ନିଜ ମାଆର ତଣ୍ଟିକୁ ଏକ ବ୍ଲେଡ଼ ସାହାଯ୍ୟରେ କାଟି ପକାଇଥିଲେ। ଏପରିକି କୋଶଳ ଯନ୍ତ୍ରଣାରେ ଚିତ୍କାର କରିବାରୁ କୋଶଳ ତାଙ୍କୁ ଏକ ଅଖା ଭିତରେ ଭର୍ତ୍ତି କରି ଲୁଚାଇ ଦେବାକୁ ଚେଷ୍ଟା କରିଥିଲା। କୌଣସି ସୂତ୍ରରୁ ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ପୋଲିସ ଏବଂ ଏହାର ସାଇଣ୍ଟିଫିକ ଦଳ ସେଠାରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।