ବେଆଇନ ଖନନ ରୋକିବାକୁ ଯାଇଥିଲେ, ଡଂପର ଚଢାଇ ଡିଏସ୍‌ପଙ୍କୁ ମାରିଦେଲେ ଖଣି ମାଫିଆ, ଜାଣନ୍ତୁ ପୂରା ଘଟଣା

 

ହରିୟାଣାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ। ଦିନ ଦ୍ୱିପ୍ରହରରେ ହରିୟାଣା ପୋଲିସ ଡ଼ିଏସପିଙ୍କୁ ଡ଼ମ୍ପର ଚଢାଇ ହତ୍ୟା କରିବାକୁ ପଛାଇଲେନି ଦୁର୍ବୁତ୍ତ। ଘଟଣାସ୍ଥଳରେ ହିଁ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜ୍ୟ ପୋଲିସ ଏହାକୁ ଅତି ଗୁରୁତର ସହିତ ନେଇଛି। ଏନକାଉଣ୍ଟରରେ ଉକ୍ତ ଟ୍ରକର ହେଲ୍ପରକୁ ପୋଲିସ ଧରିବାରେ ସଫଳ ହୋଇଛି। ଦୋଷୀ ମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋଦ ହରିୟାଣା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଆରାବଳୀ ପର୍ବତରେ ବେଆଇନ୍ ଖନନ ଏବଂ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଡିଏସ୍‌ପି ସେଠାରେ ପହଞ୍ଚିଥିଲେ। ପହଞ୍ଚିଲା ବେଳକୁ ସେଠାରେ ଡମ୍ପର ସାହାଯ୍ୟରେ ଖଣି ଖନନ ଚାଲିଥିବା ଦେଖିବାକୁ ପାଇଥିଲେ। ସେ ଡମ୍ପରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ବ୍ରେକ ମାରିବା ବଦଳରେ ଦୁର୍ବୁତ୍ତମାନେ ତାଙ୍କ ଉପରେ ଗଡ଼ି ଚଢାଇ ଦେଇଥିଲେ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୪ରେ ଆସିଷ୍ଟାଣ୍ଟ ସବ ଇନ୍‌ସପେକ୍ଟର ଭବାରେ ସେ ହରିୟାଣା ପୋଲିସରେ ନିଯୁକ୍ତି ପାଇଥିଲେ। ତାଙ୍କର ଅବସରକୁ ମଧ୍ୟ ଆଉ ମାତ୍ର ୪ ମାସ ରହିଥିବା ବେଳେ ସେ ଖଣି ମାଫିଆଙ୍କ ଶିକାର ହୋଇଛନ୍ତି। ତେବେ, ତାଙ୍କ ପରିବାରକୁ ୧ କୋଟି ଅନୁକମ୍ପା ରାଶି ସହିତ ଜଣଙ୍କୁ ଚାକିରୀ ଦେବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉଥିବା ଜଣାଯାଇଛି।