ଆମର ମହିଳା ସାମ୍ବାଦିକା ଉପରକୁ ଜାଣି ଶୁଣି କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ଏବଂ...

 
kukura-babi-das

ପୂର୍ବତନ ସୂଚନା ପ୍ରସାରଣ ବିଭାଗର ମନ୍ତ୍ରୀଙ୍କର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ବିଜେଡି ନେତା କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଆଜି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌ । 

ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଏତଲା ଦିଆଯାଇଛି । ସାମ୍ବାଦିକ ଦୁର୍ଗାଶିଷଙ୍କ ସୂଚନା ଅନୁସାରେ, ରାଜ୍ୟର ପ୍ରମୁଖ ଚର୍ଚ୍ଚିତ ଖବର ବବି ଦାସଙ୍କ ବଙ୍ଗଳା ସମ୍ପର୍କିତ ଖବର ପ୍ରସାରଣ ସମୟରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା ଚିନ୍ମୟୀ ସାହୁ । 

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନଙ୍କ କ୍ବାଟର ସୁରକ୍ଷା ଅନୁମତିକ୍ରମେ କ୍ବାଟର ଭିତରକୁ ଯାଇ ପାଖ କ୍ବାଟରରୁ ଭିଜୁଆଲ ନେବାବେଳେ ରଘୁନନ୍ଦନ ଦାସ ଧମକ ଦେଇଥିଲେ । କ୍ବାଟର ଭିତରକୁ କାହିଁକି ପ୍ରବେଶ କରିଛ କହି ବାହାରି ଯିବାକୁ କହିଥିଲେ । ଏପରିକି ତୁରନ୍ତ ବାହାର କହି ଦୁଇଟି କୁକୁରକୁ ଛାଡି ଦେଇ ସେଠାରୁ ତୁରନ୍ତ ଯିବାକୁ କ୍ବାଟର ଭିତରୁ ଧମକ ଦେଇଥିଲେ । 

ହେଲେ ସୁରକ୍ଷା କର୍ମୀଙ୍କ ଅନୁମତିରେ ପଶିଥିବା ସାମ୍ବାଦିକା କୁକୁରଙ୍କ ଭୟରେ ତଳେ ପଡିଯିବା ସହ ଭୟଭୀତ ହୋଇ ସେଠାରୁ ଆସିଥିଲେ । ତେବେ ତାଙ୍କର କ୍ୟାମେରାମ୍ୟାନ ଏଭଳି କାହିଁକି ଆଚରଣ କରୁଛନ୍ତି ପଚାରିବାରୁ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। 

ବବି ଦାସ ସମ୍ପର୍କିତ ଖବର ପ୍ରସାରଣ କରାଯାଉଥିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରାଯାଇଛି। ତେବେ କାର୍ଯ୍ୟରତ ସାମ୍ବାଦିକାଙ୍କ ପ୍ରତି ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ବିଧାୟକଙ୍କ ଏଭଳି ଆଚରଣ ନେଇ ସାମ୍ବାଦିକ ମହଲରେ କଡ଼ା ସମାଲୋଚନା କରାଯାଇଛି ।