କାହାକୁ ଖଣି ଲୁଟେରା କହିଲେ ମୁଖ୍ୟମନ୍ତ୍ରୀ ! କଣ ବିଜେଡି ର ସମସ୍ତ ନେତାଙ୍କୁ ଜେଲ ପଠାଯିବ?

 
khani lutera-odisha

ରବିବାର କେନ୍ଦୁଝରରେ ପୂର୍ବ ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଥିଲେ ଯେଉଁମାନେ ନିଜକୁ କ୍ରୀତଦାସ ବୋଲାଉଥିଲେ, ସେତେବେଳେ ସେମାନେ ତାଙ୍କୁ ମନ୍ତ୍ରୀ ପଦ ଯାଚିବା ସହ ଖଣି ଲିଜ ଦେବାକୁ ପ୍ରଲୋଭନ ଦେଖାଉଥିଲେ। କିନ୍ତୁ ସେ ସେମାନଙ୍କ ପ୍ରଲୋଭନରେ ପଡ଼ିନଥିଲେ। ଏହି ଖଣି ଲୁଟେରାଙ୍କୁ ଜେଲରେ ପୂରାଇବାକୁ ଝାରପଡ଼ା ଓ କେନ୍ଦୁଝର ଜେଲ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ସେ ଆହୁରି କହିଥିଲେ, ୨୦୧୯ରେ ବିଧାନସଭାରେ କେନ୍ଦୁଝରର ଅଧିକାର ପାଇଁ ଲଢ଼େଇ ହୋଇଥିଲା। କିଛି ଅଣଓଡ଼ିଆ କେନ୍ଦୁଝରର ଗରିବ ଆଦିବାସୀଙ୍କୁ ଲୁଟିଛନ୍ତି। ସବୁ ଲୁଟେରା ମୋ ନଜରରେ ଅଛନ୍ତି, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ ପଠାଯିବ। ଆଉ ଏହାର ଜବାବ ରଖିଛି ବିଜେଡି। କହିଛି , ମୁଖ୍ୟମନ୍ତ୍ରୀ ନିଜ ପଦର ଗରିମା ରକ୍ଷା କରନ୍ତୁ। 

ସେ ବିରୋଧୀ ଦଳରେ ଥିବା ବେଳେ କାହିଁକି ଏକଥା କହୁନଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରତାପ ଦେବ। କେଉଁଝର ଗସ୍ତ ସମୟରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ବୟାନ ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି। 

ସିଧାସଳଖ କାହାର ନାଁ ନେଇନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜେଡି ସରକାର ଆଡ଼କୁ ଇଙ୍ଗିତ କରି ଏକଥା କହିଛନ୍ତି। କହିଥିଲେ ନିଜକୁ କ୍ରୀତଦାସ ବୋଲାଉ ଥିବା ଲୋକେ ମୋତେ ନିଜ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ କରିଥିଲେ। ମୋତେ ମନ୍ତ୍ରୀପଦ ଓ ଖଣି ଦେବାର ଲୋଭ ଦେଖାଇ ଥିଲେ। 

ଏବେ ଖଣି ଲୁଟେରା ମାନଙ୍କୁ ଜେଲ ଯିବାକୁ ହେବ। ଏହା ପୂର୍ବରୁ ମୋହନ ମାଝୀ ୧୫ ବର୍ଷ ଧରି ବିଧାୟକ ରହିଛନ୍ତି। ଏବଂ କେନ୍ଦୁଝର ହେଉଛି ଖଣି ଖାଦାନରେ ଭରପୂର ଥିବା ଜିଲ୍ଲା। ଆଉ ସେହି ଜିଲ୍ଲାରୁ ଜିତି ଆସିଥିଲେ ମୋହନ ମାଝୀ ଏବଂ ଖଣି ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଥିଲେ।