ଏଥର ଭୁବନେଶ୍ୱର ଲୋକସଭା ନିର୍ବାଚନରେ ଅପରାଜିତା‌, ଶ୍ରୀମୟୀଙ୍କ ସହ କିଏ କରିବ ପ୍ରତିଯୋଗିତା ?

 
bbsr election aparajita srimayee

ଭୁବନେଶ୍ୱର ସଂସଦ ନିର୍ବାଚନମଣ୍ଡଳୀର ସାତୋଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୌଣସିଟିରେ ବିଜେପି ପ୍ରାର୍ଥୀ ଜିତି ନାହାଁନ୍ତି । ତେବେ 2019 ଲୋକସଭା ନିର୍ବାଚନରେ ​​ଅଗ୍ରଣୀ ହୋଇଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହି ନିର୍ବାଚନରେ ​​ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପ୍ରାୟ 24 ହଜାର ଭୋଟରେ ପରାସ୍ତ କରିଥିଲେ । 1998 ରୁ 2019 ନିର୍ବାଚନ ପର୍ଯ୍ୟନ୍ତ ବିଜେଡିର ଗଡ଼ ଭାବେ ପରିଚିତ ଭୁବନେଶ୍ବର ସଂସଦୀୟ କ୍ଷେତ୍ରକୁ ଛଡ଼ାଇ ନେବା ପରେ ରାଜ୍ୟ ରାଜନୀତିରେ ଅପରାଜିତାଙ୍କ ପ୍ରଭାବ ବୃଦ୍ଧି ପାଇଥିଲା । ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ପରେ ସେ ପୁଣି ଟିକେଟ୍ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ସେମାନେ ବସ୍ତିରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ଭେଟି ରାଜ୍ୟ ସରକାରଙ୍କ ବିରୋଧରେ ବିଷ ବିସ୍ତାର କରୁଛନ୍ତି । ଜାତୀୟ ରାଜପଥ ନିର୍ମାଣ ହେଉ କିମ୍ବା କୃଷକଙ୍କ ସମସ୍ୟା ହେଉ, ଭୁବନେଶ୍ୱର ରାଜନୀତି ଗତ 5 ବର୍ଷ ଯାକ ଉଷ୍ମ କରି ରଖିଛନ୍ତି । ଅପରାଜିତାଙ୍କ ପତିଆରା ଯେଉଁଭଳି ଜାରି ରହିଛି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ପୁନର୍ବାର ବିଜେପି ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ଜୋର ଧରିଛି । ଯଦିଓ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜେପିରୁ ଅନ୍ୟ କୌଣସି ପ୍ରତିଯୋଗୀ ଆଗକୁ ଆସିନାହାଁନ୍ତି । ଯଦି ଏପରି ଓଲଟପାଲଟ ନ ହୁଏ, ତେବେ ଅପରାଜିତା ଟିକେଟ୍‌ ପାଇବା ଏକପ୍ରକାର ଥୟ ।

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ? - Odia.News

ଜଟଣୀ ବ୍ୟତୀତ ଭୁବନେଶ୍ବର ସଂସଦୀୟ ନିର୍ବାଚନମଣ୍ଡଳୀର 6 ଟି ବିଧାନସଭା କ୍ଷେତ୍ରରେ ବିଜେଡିର 6 ଜଣ ବିଧାୟକ ଜିତିଥିଲେ ମଧ୍ୟ ସାଂସଦ ପ୍ରାର୍ଥୀ ହାରିଥିଲେ । ଶେଷ ମୂହୂର୍ତ୍ତରେ ପ୍ରଶାସକରୁ ରାଜନେତା ବନିଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରି ବିଜେଡି ଯେଉଁ ରିସ୍କ୍‌ ନେଇଥିଲା ତାହା ବୁମେରାଂ ସାବ୍ୟସ୍ତ ହୋଇଥିଲା । ତେଣୁ ଦଳର ଶୀର୍ଷ ନେତୃତ୍ୱ କୌଣସି ପରିସ୍ଥିତିରେ ପୁରୁଣା କାହାଣୀକୁ ପୁନରାବୃତ୍ତି କରିବାକୁ ଚାହାଁନ୍ତି ନାହିଁ । ଏହି କାରଣରୁ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ ବୋଲି ଅନୌପଚାରିକ ଭାବେ ଘୋଷଣା କରାଯାଇଛି ।

ଗତ ତିନିମାସ ଧରି ଶ୍ରୀମତୀ ମିଶ୍ର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପଦଯାତ୍ରା, ଶୋଭାଯାତ୍ରା, ପରିବାର ଅଭିଯାନ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । 6 ଜଣ ବିଧାୟକଙ୍କ ସମେତ ଜଟଣୀରେ 2019 ର ବିଜେଡି ପରାଜିତ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ବରେ ଶ୍ରୀମତୀ ମିଶ୍ରଙ୍କୁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ସପ୍ତାହର ସାତ ଦିନ ମଧ୍ୟରୁ ପ୍ରତି ନିର୍ବାଚନମଣ୍ଡଳୀରେ ପାଳି କରି ଶ୍ରୀମୟୀଙ୍କ କାର୍ଯ୍ୟକ୍ରମ କରାଯାଉଛି । ବିଜେଡିରୁ ସାଂସଦ ପ୍ରାର୍ଥୀ ହେବାକୁ ଶ୍ରୀମୟୀଙ୍କ ବ୍ୟତୀତ ଆଉ କାହାରି ନାଁ ଶୁଣାଯାଉ ନାହିଁ ।

2019 ରେ, କେବଳ ଜୟଦେବ ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ବାକି ସବୁଠି ବିଜେଡିର ସାଂସଦ ପ୍ରାର୍ଥୀ ପଛରେ ପଡ଼ିଥିଲେ । ଉତ୍ତର ଭୁବନେଶ୍ୱରରେ ଅପରାଜିତା ମାତ୍ର 169 ଭୋଟରେ ଆଗରେ ଥିବାବେଳେ ଖୋର୍ଦ୍ଧାରେ 15 ହଜାର, ଏକାମ୍ରରେ 11 ହଜାର, ମଧ୍ୟ ଭୁବନେଶ୍ବରରେ 13 ହଜାର 500, ଜଟଣୀରେ 851 ଓ ବେଗୁନିଆରେ ପ୍ରାୟ 3 ହଜାର ଭୋଟରେ ଆଗରେ ଥିଲେ । ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ 20 ହଜାର ଭୋଟରେ ଆଗୁଆ ରହିଥିଲେ, ତେଣୁ ପରାଜୟର ବ୍ୟବଧାନ ହ୍ରାସ ପାଇଲା । ସେଥିପାଇଁ ଦଳର ନେତାମାନେ ଅଗ୍ରୀମ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତି ଏବଂ ଯେଉଁଠାରେ ଭୁଲ୍ ହୋଇଛି ତାହା ସଂଶୋଧନ କରିବାକୁ ଚେଷ୍ଟା କରନ୍ତି । ଜନସମ୍ପର୍କ ବୃଦ୍ଧି କରି ଶିକ୍ଷିତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେଡି ନେତାମାନେ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ବିଜେପି 4 ଲକ୍ଷ 86 ହଜାର 991 ଭୋଟ୍ ଏବଂ ବିଜେଡି 4 ଲକ୍ଷ 63 ହଜାର 152 ଭୋଟ୍ ପାଇଛି ।

ଯଦି ଆମେ କଂଗ୍ରେସକୁ ଦେଖିବା, ଦଳ 2019 ରେ ଏଠାରେ ପ୍ରାର୍ଥୀ କରି ନାହାଁନ୍ତି । ଏହା ପରିବର୍ତ୍ତେ, CPI (M) ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା । ଫଳସ୍ୱରୂପ କଂଗ୍ରେସ ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀକୁ ହରାଇଲା । ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ, କିନ୍ତୁ କଂଗ୍ରେସ ସମର୍ଥନରେ ଛିଡା ହୋଇଥିବା CPI (M) ପ୍ରାର୍ଥୀଙ୍କୁ କେବଳ 23 ହଜାର 26 ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଲା । ତେଣୁ ଏଥର କଂଗ୍ରେସ ମଧ୍ୟ ପୁରୁଣା ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ଚାହୁଁଛି । କଂଗ୍ରେସର ନିଜସ୍ୱ ପକେଟ୍ ଭୋଟ୍ ଥିବାରୁ ଏଥର ନିଜର ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପରିସ୍ଥିତିରେ ବରିଷ୍ଠ ନେତାଙ୍କ ମଧ୍ୟରେ କିଏ ପ୍ରାର୍ଥୀ ହେବେ ସେନେଇ ଆଲୋଚନା ଚାଲିଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ,ରଶ୍ମି ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଟିକେଟ୍ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ କିଏ ପ୍ରାର୍ଥୀ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।