ବାପାଙ୍କୁ ନ୍ୟାୟ ଦେବା ପାଇଁ ବିଜେପିରେ ମିଶିଲେ କି ଅନୁଭବ? କୋଉଠୁ ଲଢିବେ ଅନୁଭବ, ଜାଣନ୍ତୁ ପୁରା ଖବର

 
Anubhav

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବିଜେଡି ଛାଡ଼ିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶେଷରେ ପଦ୍ମ ପୋଖରୀକୁ ଡେଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଭବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଛନ୍ତି।

ତେବେ ସିଦ୍ଧାନ୍ତ, ଅରିନ୍ଦମ, ଆକାଶଙ୍କ ପରେ ଏବେ ଅନୁଭବ ବିଜେପିମୁହାଁ ହୋଇଛନ୍ତି। ୨ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। ୨୦୧୯ରେ ବିଜେପିର ହେଭିଓ୍ବେଟ ବୈଜୟନ୍ତ ପଣ୍ଡାକୁ ପରାଜିତ କରିଥିଲେ ଅନୁଭବ। ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ ଦଳରେ ସେତେଟା ଗୁରୁତ୍ବ ମିଳିନଥିଲା। ଏଥର ତାଙ୍କ ସ୍ଥାନରେ ଦଳ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଘୋଷଣା କରିଛି।

Anubhav mohanty

ବିଜେଡି ଛାଡ଼ିବା ପରେ ଅନୁଭବ କହିଥିଲେ, "ମୁଁ ଦଳ ଛାଡ଼ିଛି, କିନ୍ତୁ ମୋ ପ୍ରଶଂସକଙ୍କ ଦଳ ଛାଡ଼ିନି। ମୁଁ ଆପଣଙ୍କ ଭଲପାଇବାର ଦଳରେ ସବୁବେଳେ ଅଛି ରହିବି ସେ ଦଳ ଛାଡିବିନି। ଜୀବନ ଥିବା ଯାଏଁ ଆପଣଙ୍କ ସହ ଅଛି। ରାଜନୀତି ମୁଁ ଛାଡ଼ିନାହିଁ କି ଛାଡିବିନି ସେ ସମ୍ପର୍କରେ କହିନାହିଁ। ମୁଁ କୂଟ ରାଜନୀତି କରିପାରିନାହିଁ ଓ ତାହା ଶିଖିନାହିଁ ମଧ୍ୟ। ରାଜନୀତି ସହ ଅଭିନୟ କରିବି, କାରଣ ଏହା ମୋ ଭାତହାଣ୍ଡି ଓ ମୋ ପରିଚୟ। ଲୋକଙ୍କ ପାଇଁ ଏଣିକି ରାଜନୀତି କରିବି।"

''୫ ବର୍ଷ ହେଲାଣି ଆପଣ ମୋ ବିଷୟରେ ଚର୍ଚ୍ଚା କଲେଣି ଯେତେବେଳେ ମୁଁ ଅଭିନୟ କରିବି ନଥିଲି। ଗତ ୪-୫ ବର୍ଷ ମତେ ବହୁତ କିଛି ଶିଖାଇଛି। ଯେତେବେଳେ ଯାହା ହେବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି। ଯେ କୌଣସି ଚ୍ୟାଲେଞ୍ଜ ଆସୁ ତାକୁ ସାମ୍ନା କରିବାର ସାହସ ଓ ଦମ ରଖିଛି ।'' 

ନିର୍ବାଚନ ଚଳିତ ବର୍ଷ ଲଢ଼ିବେ ନା ନାହିଁ ଉତ୍ତରରେ କହିଛନ୍ତି, "ମୁଁ ଜୀବନରେ ୨୦୨୪ ରେ ନୁହେଁ ବରଂ ବଞ୍ଚିଥିବା ପର୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଲଢିବି ଓ ଜିତିବି ମଧ୍ୟ।" ତେବେ ପ୍ରତ୍ୟେକ କ୍ଷେତ୍ରରେ ଲଢିବା ଓ ଜିତିବାର ଦମ୍ଭୋକ୍ତି ତାଙ୍କ ନିର୍ବାଚନ ଲଢିବା ଆକାଂକ୍ଷାକୁ ପରୋକ୍ଷରେ ପ୍ରତିଫଳିତ କରୁଛି ବୋଲି ସହଜରେ ଅନୁମେୟ।